fbpx

ଓଡ଼ିଶାରେ ନିଯୁକ୍ତି ପାଇବେ ଆଉ ୧୦ହଜାର କନିଷ୍ଠ ଶିକ୍ଷକ, ଘୋଷଣା କଲେ ରାଜ୍ୟ ସରକାର

ଓଡ଼ିଶା ଭାସ୍କର: ନିଯୁକ୍ତି କ୍ଷେତ୍ରରେ ଆଉ ଏକ ବଡ଼ ଖୁସି ଖବର ଦେଇଛନ୍ତି ଓଡ଼ିଶା ସରକାର । କାରଣ ରାଜ୍ୟରେ ଆଉ ୧୦ହଜାର କନିଷ୍ଠ ଶିକ୍ଷକ (ସ୍ମିମାଟିକ)ଙ୍କୁ ନିଯୁକ୍ତି ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏବେ ରାଜ୍ୟରେ ୨୦ହଜାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଏହା ଶେଷ ହେବା ପରେ ଏହି ୧୦ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟାର ଆରମ୍ଭ କରାଯିବ ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ସୂଚନା ଦେଇଛି।

ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ଖାଲି ପଡ଼ିଥିବା ପଦବୀଗୁଡ଼ିକ ପୂରଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ୧୦ହଜାର କନିଷ୍ଠ ଶିକ୍ଷକ(ସ୍କିମାଟିକ) ନିୟୋଜିତ କରିବାକୁ ସ୍ଥିର ହୋଇଛି । ଏହି ନିୟୋଜନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଏବେ ଚାଲୁ ରହିଥିବା ୨୦ହଜାର କନିଷ୍ଠ ଶିକ୍ଷକ(ସ୍କିମାଟିକ) ପଦବୀ ପୂରଣର ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଏହି ୧୦ହଜାର ନୂଆ ନିଯୁକ୍ତି ନିମନ୍ତେ ପ୍ରକ୍ରିୟା ଆରମ୍ଭ ହେବ । ତେବେ ଗତ ୨୦୨୩ ସେପ୍ଟେମ୍ବର ମାସରେ ରାଜ୍ୟରେ ୨୦ହଜାର କନିଷ୍ଠ ଶିକ୍ଷକ (ସ୍କିମାଟିକ) ନିଯୁକ୍ତି ନିମନ୍ତେ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଥିଲେ, ଯାହା ଅଦ୍ୟାବଧି ଜାରି ରହିଛି।

ସୂଚନା ଯୋଗ୍ୟ, ସରକାରୀ ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାର ଏକ ରେକର୍ଡ କରିଛନ୍ତି । ଗତ ୨୦୨୧ରୁ ୨୦୨୪ ଫେବୃଆରୀ ଭିତରେ ରାଜ୍ୟରେ ୫୪ ହଜାର ୩୨୨ଜଣ ସରକାରୀ ନିଯୁକ୍ତି ପାଇଛନ୍ତି। ବିଶେଷକରି ଗଣଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗରେ ରେକର୍ଡ ସଂଖ୍ୟକ ନିଯୁକ୍ତି ଦିଆଯାଇଛି । ଯାହାକି ଜାତୀୟ ହାରଠାରୁ ଅଧିକ। ଖାଲି ସରକାରୀ ନିଯୁକ୍ତି ନୁହେଁ ଆତ୍ମନିଯୁକ୍ତି ଓ ଶିଳ୍ପ ପ୍ରତିଷ୍ଠା ଦ୍ୱାରା ଲକ୍ଷାଧିକ ରୋଜଗାର ସୃଷ୍ଟି କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକୁ ସବୁ ମହଲରେ ପ୍ରଶଂସା କରାଯାଇଛି।

Get real time updates directly on you device, subscribe now.