କଠୋର କଟକଣାରେ ଆଜିଠୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ, ପରୀକ୍ଷା କେନ୍ଦ୍ରକୁ LIVE ଦେଖିବ ବୋର୍ଡ
କପି, ପ୍ରଶ୍ନପତ୍ର ଲିକ୍ ରୋକିବାକୁ ବୋର୍ଡ ନେଇଛି ବିଶେଷ ପଦକ୍ଷେପ । ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା ।
କଟକ: ଆଜିଠୁ ଆରମ୍ଭ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା । ପରୀକ୍ଷା ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜି ପ୍ରଥମ ଦିନରେ ଛାତ୍ରଛାତ୍ରୀ ମାତୃଭାଷା ପରୀକ୍ଷା ଦେବେ । ପରୀକ୍ଷା ୯ଟାବେଳେ ଆରମ୍ଭ ହେବ ।
LIVE ପରୀକ୍ଷା : ଅଢ଼େଇ ଘଣ୍ଟାର ପରୀକ୍ଷା ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବ । ପରୀକ୍ଷା ହଲରେ ପ୍ରବେଶ କରିବା ସମୟ ୭ଟା ୩୦ ମିନିଟରୁ ୮ଟା ୩୦ ମିନିଟ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି । ଏଥର ପରୀକ୍ଷାରେ ବୋର୍ଡ ବିଶେଷ କଟକଣା ଅବଲମ୍ବନ କରିଛି । ରାଜ୍ୟର ପାଖାପାଖି ୬୦୦ ପରୀକ୍ଷା କେନ୍ଦ୍ରକୁ ବୋର୍ଡ ଲାଇଭ ଦେଖିପାରିବ ।
ବୋର୍ଡ ରଖିବ ନଜର: ଏ ନେଇ କୋର୍ଡ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ୍ର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ପରୀକ୍ଷା କେନ୍ଦ୍ରରେ ସୁପରିଣ୍ଟେଣ୍ଡେଣ୍ଟ ଓ ଅବଜର୍ଭର ମୋବାଇଲ ବ୍ୟବହାର କରିପାରିବେ । ସବୁ ଷ୍ଟ୍ରଙ୍ଗ ରୁମ୍ର ଲାଇଭ ଫୁଟେଜ ଉପରେ ବୋର୍ଡ ନଜର ରଖିବ ।
କପି ଧରିବ: ମାଟ୍ରିକ୍ ପରୀକ୍ଷା ପାଇଁ ଗତ ୧୨ ତାରିଖରୁ ନୋଡାଲ ସେଣ୍ଟରକୁ ପ୍ରଶ୍ନପତ୍ର ପଠାଯାଇଛି । ଚଳିତବର୍ଷ ୩୦ ଜିଲ୍ଲାରେ ୩୧୩୩ଟି ପରୀକ୍ଷା କେନ୍ଦ୍ର ଓ ୩୧୪ଟି ନୋଡାଲ ସେଣ୍ଟର ହୋଇଛି । ନିର୍ଦ୍ଦାରିତ ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇବ । କପି ରୋକିବା ପାଇଁ ୪ ସ୍ତରୀୟ ସ୍କ୍ୱାର୍ଡ ଗଠନ କରାଯାଇଛି ।
ମୋଟ ୧୭୨ଟି ସ୍କ୍ୱାର୍ଡ ଗଠନ କରାଯାଇଛି । ବିଶେଷ କରି ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ବୋର୍ଡ ପକ୍ଷରୁ ଏହି ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି ।