ନୂଆଦିଲ୍ଲୀ: ଦୁନିଆରେ ଅନାହାରରେ ପ୍ରତି ମିନିଟ୍ ରେ ପ୍ରାଣ ହରାଉଛନ୍ତି ୧୧ ଜଣ ଲୋକ ଓ ଗତ ୧ ବର୍ଷ ମଧ୍ୟରେ ଅନାହାର ଜନିତ ସମସ୍ୟା ଦେଇ ଗତି କରୁଥିବା ଲୋକଙ୍କ ସଂଖ୍ୟା ଛଅଗୁଣ ବଢ଼ିଯାଇଛି । ଗରିବ ନିରୋଧୀ ସଂଗଠନ ଅକ୍ସଫାମ୍ ପକ୍ଷରୁ ଏନେଇ ରିପୋର୍ଟ ପ୍ରକାଶ ପାଇଛି । “ଦ ହଙ୍ଗର୍ ଭାଇରସ୍ ମଲ୍ଟିପଲ୍ସ” ନାମକ ରିପୋର୍ଟରେ ଏନେଇ ତଥ୍ୟ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଯେ, କୋଭିଡ୍ ମହାମାରୀ କାଳରେ ଅନାହାରର ଶିକାର ହୋଇ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି । ପ୍ରତିମିନିଟ୍ ରେ ୧୧ ଜଣଙ୍କର ମୃତ୍ୟୁ ହେଉଥିବା ଏଥିରେ ଉଲ୍ଲେଖ କରିଛି ସଂଗଠନ ।
ତେବେ ଅକ୍ସଫାମ୍ ଆମେରିକାର ଅଧ୍ୟକ୍ଷ ଓ ସିଇଓ ଏବି ମାକ୍ସମେନ୍ କହିଛନ୍ତି ଯେ, ଏହି ସଂଖ୍ୟା ଖୁବ୍ ଚିନ୍ତାଜନକ । ରିପୋର୍ଟରେ କୁହାଯାଇଛି ଯେ, ଦୁନିଆରେ ପାଖାପାଖି ୧୫.୫ କୋଟି ଲୋକ ଅସୁରକ୍ଷିତ ଖାଦ୍ୟ ଖାଇବା ସହିତ ଭୀଷଣ ସଙ୍କଟ ପରିସ୍ଥିତି ଦେଇ ଗତି କରୁଛନ୍ତି । ବିଶେଷ କରି ୨୦୨୦ ରେ ଏହି ସଂଖ୍ୟାରେ ବୃଦ୍ଧି ଘଟିଛି ।
ଅନାହାରରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଦେଶ ମାନଙ୍କ ମଧ୍ୟରେ ରହିଛି ଆଫଗାନିସ୍ତାନ, ଇଥିଓପିୟା, ଦକ୍ଷିଣ ସୁଡାନ୍, ସିରିୟା ଓ ୟମନ୍ । ଏହି ଦେଶ ଗୁଡ଼ିକରେ ସଂଘର୍ଷ କରିବା ପରି ସ୍ଥିତି ରହିଛି । ତେବେ ଏହି ସବୁ ଦେଶର ବଜାର ମାନଙ୍କରେ ଅନେକ ସମୟରେ ବୋମା ବର୍ଷା କରାଯାଉଥିବାରୁ ଲୋକେ ଭୟରେ ବାହାରକୁ ବାହାରି ପାରୁନାହାନ୍ତି କି ବଜାରକୁ ଯାଇପାରୁନାହାନ୍ତି । ସର୍ବଦା ଖାଦ୍ୟ ସନ୍ଧାନ ରେ ଘୂରି ବୁଲୁଛନ୍ତି । ଦିନକୁ ଦିନ ଏହା ଆହୁରି ବିକଟ ସ୍ଥିତି ଆଡ଼କୁ ଗତି କରୁଥିବା ଦେଖିବାକୁ ମିଳୁଛି ।