fbpx

ସାତ ମହଲା ବିଲଡିଂରେ ଭୟଙ୍କର ବିସ୍ଫୋରଣ: ୧୪ ଜଣଙ୍କର ମୃତ୍ୟୁ, ୧୦୦ରୁ ଅଧିକ ଆହତ, ଚାଲିଛି ରେସକ୍ୟୁ ଅପରେସନ

ନୂଆଦିଲ୍ଲୀ: ଦିନକୁ ଦିନ ବଡ଼ ବଡ଼ ବିଲଡିଂ ନିର୍ମାଣ ହେଉଥିବା ବେଳେ ଅନେକ ସମୟରେ ଏହି ବିଲଡିଂ ମାନଙ୍କରେ ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳିଥାଏ । ବେଳେବେଳେ ବହୁତଳ ପ୍ରାସାଦଗୁଡ଼ିକରେ ନିଆଁ ଲାଗିବା ସହ ଅନ୍ୟ କିଛି କାରଣରୁ ତାହା ଭୁଶୁଡ଼ି ପଡ଼ିଥାଏ । ଏଭଳି ସ୍ଥିତିରେ ଉକ୍ତ ବିଲଡିଂରେ ରହିଥିବା ଲୋକଙ୍କ ଜୀବନ ସଙ୍କଟ ଆଡ଼କୁ ଚାଲିଯାଇଥାଏ । ଘଟଣାସ୍ଥଳରେ କିଛି ବ୍ୟକ୍ତି ଅଚାନକ ପ୍ରାଣ ହରାଇବା ସହ ଆଉ କିଛି ବିଲଡିଂ ଭିତରେ ଚାପି ହୋଇ ରହିଯାଇଥାନ୍ତି ।

ତେବେ ଆଜି ଏଭଳି ଏକ ବଡ଼ ଘଟଣା ବାଂଲାଦେଶର ରାଜଧାନୀ ଢାକାରୁ ଆସିଛି । ଢାକାର ଗୁଲିସ୍ତାନ ଅଞ୍ଚଳରେ ଆଜି ସନ୍ଧ୍ୟାରେ ଏକ କୋଠାରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୧୪ ଜଣଙ୍କ ମୃତ୍ୟୁ ଘଟିବା ସହ ୧୦୦ରୁ ଅଧିକ ଆହତ ହୋଇଛନ୍ତି । ବିଆରସିଟି ବସ୍ କାଉଣ୍ଟରେ ନିକଟରେ ସନ୍ଧ୍ୟା ପାଖାପାଖି ୪.୪୫ ସମୟରେ ଏହି ବିସ୍ଫୋରଣ ହୋଇଥିବା ଦମକଳ ଅଧିକାରୀମାନେ ସୂଚନା ଦେଇଛନ୍ତି ।

ତେବେ ବର୍ତ୍ତମାନ ଘଟଣାସ୍ଥଳରେ ୧୧ଟି ଜରୁରୀକାଳୀନ ସେବା ୟୁନିଟ ଉପସ୍ଥିତ ରହି ରେସକ୍ୟୁ ଅଭିଯାନ ଚଳାଇଛନ୍ତି । ଆହତଙ୍କୁ ଢାକା ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସିଦ୍ଦିକି ବଜାରରେ ଏହି ବିଲଡିଂ ବିସ୍ଫୋରଣ ହୋଇଥିବା ବେଳେ ସେଠାରେ ଅନେକ ବାଣିଜ୍ୟିକ ଘର ଓ ଅନେକ ଅଫିସ, ଷ୍ଟୋର ରହିଥିଲା । ତେବେ ସାତ ମହଲା ବିଶିଷ୍ଟ ଉକ୍ତ କୋଠାର ତଳ ମହଲାରେ ଥିବା ଏକ ପରିମଳ ସାମଗ୍ରୀ ବିକ୍ରୟକାରୀ ଦୋକାନରେ ଏହି ବିସ୍ଫୋରଣ ଘଟିଥିବା କୁହାଯାଉଛି । ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.