fbpx

କାବୁଲ ବିସ୍ଫୋରଣରେ ରହିଛି କେରଳର ୧୪ ଜଣଙ୍କ ଲିଙ୍କ୍, ଜିହାଦୀ ହେବାକୁ ଭାରତ ଛାଡି ଫେରାର ହୋଇଥିଲେ

ନୂଆଦିଲ୍ଲୀ :ବୋମା ବିସ୍ଫୋରଣରେ ଥରି ଉଠିଥିଲା ଆଫଗାନିସ୍ତାନର ରାଜଧାନୀ କାବୁଲର ବିମାନ ବନ୍ଦର । ଏଥିରେ ପ୍ରାଣ ହରାଇଲେ ୨୦୦ରୁ ଅଧିକ ଲୋକ । ହେଲେ ଏହା ମଧ୍ୟରେ ସବୁଠୁ ବଡ ଖବର, ଏହି ବିସ୍ଫୋରଣ ପଛରେ ରହିଛି କେରଳର ୧୪ ଜଣଙ୍କ ଲିଙ୍କ୍ । ବିସ୍ଫୋରଣ କରାଇଥିବା ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ ଅଫ ଖୁରାସନ ପ୍ରୋଭିନ୍ସ(ଆଇଏସକେପି)ରେ କେରଳର ୧୪ ଜଣ ସାମିଲ ଥିବା ଜଣା ପଡିଛି । କୁହାଯାଉଛି ଏହି ୧୪ ଜଣଙ୍କୁ ତାଲିବାନ ଆଫଗାନିସ୍ତାନର ବଗରାମ ଜେଲରୁ ମୁକୁଳାଇଛି। ଏହା ବ୍ୟତୀତ ତୁର୍କମେନିସ୍ତାନର ଦୂତାବାସ ଉପରେ ଆକ୍ରମଣ ଉଦ୍ୟମ କରିଥିବା ଦୁଇ ପାକିସ୍ତାନୀଙ୍କୁ ମଧ୍ୟ ଗିରଫ କରାଯାଇଥିବା ଖବର ରହିଛି । କାବୁଲ ବିମାନ ବନ୍ଦରରେ ହୋଇଥିବା ବିସ୍ଫୋରଣରେ ୧୩ ଆମେରିକା ସୈନିକ ସମେତ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା ।

ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁସାରେ, କେରଳର ୧୪ ଜଣ ଆଫଗାନିସ୍ତାନରେ ଆଇଏସକେପିର ସଦସ୍ୟ ହୋଇଛନ୍ତି । କୁହାଯାଉଛି ଯେ, ଏମାନଙ୍କ ମଧ୍ୟରୁ ଜଣେ କେରଳରେ ଥିବା ନିଜ ଘରକୁ ସଂପର୍କ କରିଥିଲା । ହେଲେ ବାକି ୧୩ ଜଣଙ୍କ ବିଷୟରେ କୌଣସି ଠୋସ୍ ସୂଚନା ମିଳି ପାରିନାହିଁ । ୨୦୧୪ରେ ଇସଲାମିକ ଷ୍ଟେଟ୍ କୁହାଯାଉଥିବା ଆତଙ୍କୀ ସଂଗଠନର କବଜା ହେବା ପରେ ମଲପୁରମ, କାସରଗୋଡ ଓ କନ୍ନୁର ଜିଲ୍ଲାରୁ ଏକ ଗୋଷ୍ଠୀ ଜିହାଦୀଙ୍କ ସହ ସାମିଲ ହେବା ପାଇଁ ଭାରତ ଛାଡି ପଳାୟନ କରିଥିଲେ । ଏମାନଙ୍କ ମଧ୍ୟରୁ କିଛି ପରିବାର ଆଇଏସକେପି ଆଧାରରେ ଆଫଗାନିସ୍ତାନର ନଙ୍ଗରହାର ପ୍ରାନ୍ତରେ ରହିଥିଲେ ।

ରିପୋର୍ଟ ଅନୁଯାୟୀ, ଭାରତ ଏହାକୁ ନେଇ ଚିନ୍ତିତ ଯେ, ତାଲିବାନ ଓ ଏହାର ସହଯୋଗୀ କଠୋରପନ୍ଥୀ ସଂଗଠନ କେରଳବାସୀଙ୍କୁ ବ୍ୟବହାର କରି ଭାରତର ଛବି ବିଗାଡିବାକୁ ଉଦ୍ୟମ କରିବ । ହେଲେ ତାଲିବାନ ଏ ପର୍ଯ୍ୟନ୍ତ ଏହି ମାମଲାରେ ନିରବ ରହିଛି । ମାତ୍ର ଗୁଇନ୍ଦା ରିପୋର୍ଟ ଦର୍ଶାଉଛି ଯେ, ଅଗଷ୍ଟ ୨୬ କାବୁଲ ଏୟାର ପୋର୍ଟରେ ବିସ୍ଫୋରଣ ପରେ ହିଁ ପାକିସ୍ତାନୀ ନାଗରିକଙ୍କଠୁ ଆଇଇଡି ଜବତ ହୋଇଥିଲା । ହେଲେ କେରଳରୁ ୧୪ ଜଣଙ୍କ କାବୁଲ ବିସ୍ଫୋରଣ ଘଟାଇଥିବା ଆତଙ୍କୀ ସଂଗଠନ ସହ ସଂପୃକ୍ତି ରହିବା ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି ।

 

Get real time updates directly on you device, subscribe now.