1,40,000 ବର୍ଷର ପୁରୁଣା ଆଉ ଏକ ଦୁନିଆ, ଯାହାକୁ କୁହାଯାଉଛି ଆଧୁନିକ ମଣିଷର ପୂର୍ବପୁରୁଷ
ସମୁଦ୍ରର ଗଭୀରତାରୁ ମିଳିଲା 1,40,000 ବର୍ଷର ପୁରୁଣା ଆଉ ଏକ ଦୁନିଆ, ଯାହାକୁ ଦେଖି ବୈଜ୍ଞାନିକମାନେ ବି ଆଶ୍ଚର୍ଯ୍ୟ
ଓଡିଶା ଭାସ୍କର: ପୃଥିବୀରେ ଅନେକ ପ୍ରକାରର ରହସ୍ୟ ରହିଛି, ଯାହାକୁ ଆମେ କେହି ଜାଣିନାହାଁନ୍ତି। ସେଥିମଧ୍ୟରୁ ଇଣ୍ଡୋନେସିଆ ସମୁଦ୍ର ଭିତରେ ଥିବା ରହସ୍ୟ ଅନ୍ୟତ୍ତମ। ଯାହାକୁ ଶୁଣିଲା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏହା କୌଣସି ଟଙ୍କା କିମ୍ବା ଧନ ନୁହେଁ ବରଂ ଆମ ଜୀବନ ସହିତ ଜଡିତ ଏକ ରହସ୍ୟ। ଯାହା ବିଷୟରେ ବୈଜ୍ଞାନିକମାନେ ମଧ୍ୟ ଏପର୍ଯ୍ୟନ୍ତ ଜାଣିନଥିଲେ।
ଇଣ୍ଡୋନେସିଆର ଜାଭା ଏବଂ ମଦୁରା ଦ୍ୱୀପପୁଞ୍ଜର ମଧ୍ୟଭାଗରେ ଥିବା ସମୁଦ୍ରରେ ବୈଜ୍ଞାନିକମାନଙ୍କୁ ଏକ ଏପରି ପ୍ରମାଣ ମିଳିଛି, ଯାହା 1000 ବର୍ଷ ପୂର୍ବେ ଥିବା ପୃଥିବୀର ଏକ ଅଂଶ ‘ସୁଣ୍ଡାଲ୍ୟାଣ୍ଡ’ ଏବଂ ସେଠାକାର ପ୍ରାଚୀନ ମାନବ ଜୀବନ ସହିତ ଜଡିତ ହୋଇପାରେ। ଯଦିଓ ଏହି ଅଞ୍ଚଳ ଆଜି ସମୁଦ୍ର ତଳେ ପୋତି ହୋଇଯାଇଛି, କିନ୍ତୁ ଏହା କେବେ ଆମ ଜୀବନର ଏକ ଅଂଶ ଥିଲା।
ଏହାକୁ ଖୋଜିବାର ପ୍ରକ୍ରିୟା 2011 ମସିହାରେ ଆରମ୍ଭ ହୋଇଥିଲା, ଯେତେବେଳେ ପୂର୍ବ ଜାଭା ନିକଟବର୍ତ୍ତୀ ମଦୁରାରେ ସମୁଦ୍ରରୁ ବାଲି ବାହାର କରିବା ପାଇଁ କାମ ଚାଲିଥିଲା ସେହି ସମୟରେ ଶ୍ରମିକମାନେ ସେଠାରୁ ବହୁ ପରିମାଣରେ ଜୀବାଶ୍ମ ପାଇଥିଲେ। ଏହି ଜୀବାଶ୍ମଗୁଡ଼ିକରେ 6,000 ରୁ ଅଧିକ କଙ୍କାଳ ଅନ୍ତର୍ଭୁକ୍ତ ଥିଲା।
ଏଥିରେ କୋମୋଡୋ ଡ୍ରାଗନ, ଜଙ୍ଗଲୀ ମଇଁଷି, ହରିଣ ଏବଂ ଷ୍ଟେଗୋଡନ୍ ନାମକ ଏକ ବିଶାଳ ହାତୀ ଭଳି ପ୍ରାଣୀଙ୍କ ଅବଶେଷ ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏଥିରେ ଦୁଇଟି ମଣିଷ ଖପୁରିର ଖଣ୍ଡ ମଧ୍ୟ ଥିଲା।
ଏହି ଖପୁରୀ ଖଣ୍ଡଗୁଡ଼ିକର ଗଠନ ବୈଜ୍ଞାନିକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ନେଦରଲ୍ୟାଣ୍ଡର ଲିଡେନ୍ ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱବିତ୍ ହାରୋଲ୍ଡ ବର୍ଗୁଇସ୍ ଏବଂ ତାଙ୍କ ଦଳ ଏହାକୁ ଭଲଭାବେ ପରୀକ୍ଷା କରିଥିଲେ।
ତଦନ୍ତରୁ ଜଣାପଡିଥିଲା ଯେ, ଏହି ଖଣ୍ଡଗୁଡ଼ିକ ହୋମୋ ଇରେକ୍ଟସ୍ ନାମକ ଏକ ପ୍ରାଚୀନ ମାନବ ପ୍ରଜାତିରୁ ଆସିଥିଲା, ଯାହାକୁ ଆଧୁନିକ ମଣିଷର ପୂର୍ବପୁରୁଷ ବୋଲି ବିବେଚନା କରାଯାଏ। ଏହି ହାଡ ଗୁଡିକୁ ସମୁଦ୍ରର ବାଲି ଏବଂ କାଦୁଅରୁ ପ୍ରାୟ 1.4 ଲକ୍ଷ ବର୍ଷ ଯାଏଁ ପୋତି ହୋଇ ରହିବା ପରେ ବାହାର କରାଯାଇଥିଲା।
ବୈଜ୍ଞାନିକମାନେ ‘ଅପ୍ଟିକାଲି ଷ୍ଟିମୁଲେଟେଡ୍ ଲ୍ୟୁମିନେସେନ୍ସ’ ନାମକ ଏକ କୌଶଳ ବ୍ୟବହାର କରି ଏହି ଅବଶେଷଗୁଡ଼ିକର ବୟସ ନିର୍ଣ୍ଣୟ କରିଥିଲେ। ସେହି କୌଶଳରୁ ଏହା ମଧ୍ୟ ସ୍ପଷ୍ଟ ହୋଇଥିଲା ଯେ, ଏହି ଅଞ୍ଚଳଟି କେବେ ଏକ ବିଶାଳ ନଦୀ ଉପତ୍ୟକା ଥିଲା, ଯାହା ପୁରୁଣା ‘ସୋଲୋ ନଦୀ ପ୍ରଣାଳୀ’ର ଏକ ଅଂଶ ହୋଇଥାଇପାରେ।
ସେଠାରୁ ମିଳିଥିବା ପଶୁ ଏବଂ ମଣିଷ ହାଡରୁ ଜଣାପଡୁଥିଲା ଏହି ଅଞ୍ଚଳ ଥରେ ସବୁଜିମା ଏବଂ ପଶୁପକ୍ଷୀରେ ପରିପୂର୍ଣ୍ଣ ଥିଲା। ଆଶ୍ଚର୍ଯ୍ୟର କଥା ଏହା ଥିଲା ଯେ, ଅନେକ ପ୍ରାଣୀଙ୍କ ହାଡ଼ରେ ସ୍ପଷ୍ଟ ଭାବରେ କଟା ଚିହ୍ନ ଦେଖିବାକୁ ମିଳିଥିଲା, ଯାହା ସୂଚିତ କରେ ହୋମୋ ଇରେକ୍ଟସ୍ ଲୋକମାନେ କେବଳ ଶିକାର କରୁନଥିଲେ, ବରଂ ପ୍ରାଣୀମାନଙ୍କୁ କାଟିବା ଏବଂ ମାଂସ ବାହାର କରିବା ପାଇଁ ଉପକରଣ ମଧ୍ୟ ବ୍ୟବହାର କରୁଥିଲେ।