fbpx

୧୫ରୁ ୨୦ ବର୍ଷର ପୁରୁଣା ଯାନ ଥିଲେ ସାବଧାନ ! କାର୍ଯ୍ୟକାରୀ ହେବ ଭେଇକିଲ୍ ସ୍କ୍ରାପେଜ୍ ପଲିସ, MoU ସ୍ୱାକ୍ଷର କରିବ ପରିବହନ ବିଭାଗ

ଭୁବନେଶ୍ୱର : ଓଡ଼ିଶା ରାସ୍ତାରେ ଆଉ ଗଡ଼ିବନି ପୁରୁଣା ଗାଡ଼ି । ରାସ୍ତାରେ ଚାଲିବନି ୧୫ରୁ ୨୦ ବର୍ଷର ପୁରୁଣା ଯାନ । ଏନେଇ ରାଜ୍ୟ ସରକାର ଖୁବ୍ ଶୀଘ୍ର କେନ୍ଦ୍ର ସରକାରଙ୍କ ଭେହିକିଲ ସ୍କ୍ରାପେଜ୍ ପଲିସି କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ନୀତି ଅନୁସାରେ ୧୫ ବର୍ଷରୁ ଅଧିକ ସମସ୍ତ ପୁରୁଣା ବାଣିଜ୍ୟିକ ଓ ୨୦ ବର୍ଷରୁ ଅଧିକ ଘରୋଇ ଯାନକୁ ବାଦ୍ ଦିଆଯିବ ।

ଏହି ଯାନଗୁଡ଼ିକ ରାସ୍ତାରେ ଆଉ ଚଳାଚଳ କରିବା ପାଇଁ ଅନୁମତି ଦିଆଯିବ ନାହିଁ । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଏହି ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ବହୁ ଦିନରୁ ତର୍ଜମା କରିଆସୁଥିଲେ । ତେବେ ଏବେ ପୁରୁଣା ଗାଡ଼ି କିଣିବା ଲାଗି ପରିବହନ ବିଭାଗ ଆଗାମୀ ‘ମେକ୍ ଇନ୍ଓ ଡ଼ିଶା କନ୍କ୍ଲେଭ୍’ରେ ଏକ ସଂସ୍ଥା ସହ ଚୁକ୍ତିନାମା ସ୍ୱାକ୍ଷରିତ କରିବ ବୋଲି ସୂଚନା ଦିଆଯାଇଛି । ସୂଚନା ମୁତାବକ, ପୁରୁଣା ଗାଡ଼ିମାଲିକମାନେ ନିଜ ଗାଡ଼ିକୁ ସ୍କ୍ରାପ୍ ଦରରେ ବିକ୍ରି କଲେ ସେମାନଙ୍କୁ ଧାର୍ଯ୍ୟ ମୂଲ୍ୟ ପ୍ରଦାନ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି । ପୁରୁଣାଗାଡ଼ିର ମୂଲ୍ୟ ସେହି ଗାଡ଼ିର ଏକ୍ସ ସୋ’ରୁମ୍ ମୂଲ୍ୟର ୬ ପ୍ରତିଶତ ରହିବ ।

ପୁରୁଣା ଗାଡ଼ି ବିକ୍ରି କରିସାରିବା ପରେ ବିକ୍ରେତାଙ୍କୁ ଏକ ପ୍ରମାଣପତ୍ର ଯୋଗାଇ ଦିଆଯିବ । ଯଦି ଗାଡ଼ି ମାଲିକ ନୂଆ ଗାଡ଼ି କିଣିବାକୁ ଆଗ୍ରହ ପ୍ରକାଶ କରନ୍ତି ସେହି ପ୍ରମାଣପତ୍ର ଦେଖାଇଲେ ଘରୋଇ ଯାନ ପାଇଁ ୨୫% ଓ ବାଣିଜ୍ୟିକ ଯାନ ପାଇଁ ୮ ବର୍ଷ ନିମନ୍ତେ ୧୫% ଟିକସରେ ରିହାତି ଯୋଗାଇ ଦିଆଯିବ । ଏନେଇ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ଯାହା ଲୋକ ଓ ସରକାରଙ୍କ ପାଇଁ ଉତ୍ତମ ହେବ ତାହାକୁ ଲାଗୁ କରାଯିବ । ମୁଖ୍ୟମନ୍ତ୍ରୀ ଯଦିଓ ଏହି ପ୍ରସ୍ତାବକୁ ଅନୁମୋଦନ କରିନାହାନ୍ତି ତେବେ ତାଙ୍କ ଅନୁମୋଦନ ମିଳିବା ପରେ ତାକୁ କାର୍ଯ୍ୟକାରୀ କରାଯିବ ।

ପରିବହନ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନାନୁଯାୟୀ, ଓଡ଼ିଶାରେ ଏବେ ୧୬ ଲକ୍ଷ ୬୧ ହଜାରରୁ ଅଧିକ ପୁରୁଣା ଗାଡ଼ି ରହିଛି । ଏହା ମଧ୍ୟରୁ ୮ ଲକ୍ଷ ୨୮ ହଜାରରୁ ଅଧିକ ଗାଡ଼ି ୨୦
ବର୍ଷରୁ ଅଧିକ ପୁରୁଣା ହୋଇଥିବାବେଳେ ୮ ଲକ୍ଷ ୩୩ ହଜାରରୁ ଅଧିକ ଗାଡ଼ି ୧୫ ବର୍ଷରୁ ପୁରୁଣା ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି । ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ସାରା ଦେଶରେ ସ୍କ୍ରାପିଂ ପଲିସି ଲାଗୁ କରିଥିବାବେଳେ ଆମ ରାଜ୍ୟରେ ଏହା ଲାଗୁ କରାଯିବା ଜରୁରୀ । ତେବେ ପୁରୁଣା ଗାଡ଼ିର ମୂଲ୍ୟ ନୂଆ ଗାଡ଼ି ତୁଳନାରେ ମାତ୍ର ୬% ହୋଇଥିବାରୁ ଲୋକମାନେ ଏହାକୁ କେତେଦୂର ଗ୍ରହଣ କରିବେ ତାକୁ ହିଁ ଅପେକ୍ଷା । ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ଗତବର୍ଷ ଅଗଷ୍ଟ ୧୩ ତାରିଖରେ ଏହି ନୂଆ ପଲିସି କରିଥିଲେ ।

Get real time updates directly on you device, subscribe now.