ଆଳିରେ ତୋରଣ ବନ୍ଧାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ, ସ୍ଥାନୀୟ ଅଞ୍ଚଳରେ ୧୬୩ ଧାରା ଲାଗୁ
ନୂଆବର୍ଷ ଅବସରରେ ତୋରଣ ବନ୍ଧାକୁ ନେଇ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ । ସ୍ଥାନୀୟ ଅଞ୍ଚଳରେ ୧୬୩ ଧାରା ଲାଗୁ କରାଯାଇଥିବା ନେଇ ସ୍ଥାନୀୟ ତହସିଲଦାର ଦେଲେ ସୂଚନା ।
ଆଳି: କେନ୍ଦ୍ରାପଡ଼ା ଆଳିର ନୂଆ ବଜାରରେ ନୂଆବର୍ଷ ପାଇଁ ଦଳୀୟ ତୋରଣ ବନ୍ଧାକୁ କେନ୍ଦ୍ର କରି ଗୁରୁବାର ସନ୍ଧ୍ୟାରେ ରାଜନୈତିକ କନ୍ଦଳ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ବିଜେପି-ବିଜେଡି ବିବାଦ ଲାଗି ରହିଛି । ଗତକାଲିଠାରୁ ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ବିବାଦ ସମାଧାନ ଲାଗି ଉଦ୍ୟମ କରାଯାଇଥିଲେ ମଧ୍ୟ ଏହା ସଫଳ ହୋଇ ନ ଥିଲା ।
ସ୍ଥାନୀୟ ଅଞ୍ଚଳରେ ବିଶୃଙ୍ଖଳା ଆଶଙ୍କା କରି ସେଠାରେ ୧୬୩ ଧାରା ଜାରି କରାଯାଇଥିବା କହିଛନ୍ତି, ସ୍ଥାନୀୟ ତହସିଲଦାର ଶାନ୍ତି ସ୍ୱରୂପ ମିଶ୍ର । ଗତ ସନ୍ଧ୍ୟାରେ ବିଜେପି ପକ୍ଷରୁ ବାଉଁଶ ପୋତାଯାଇ ତୋରଣ ନିର୍ମାଣ ଆରମ୍ଭ କରାଯାଇଥିଲା । କିନ୍ତୁ ବିଜେଡି ଦଳ ଏହାର ପ୍ରତିବାଦ କରିଥିଲେ । ଯାହାପରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା ।
ଦୀର୍ଘ ୨୫ ବର୍ଷ ହେଲା ଏହି ସ୍ଥାନରେ ବିଜେଡି ପକ୍ଷରୁ ତୋରଣ ନିର୍ମାଣ କରାଯାଉଥିଲା । ଚଳିତ ବର୍ଷ ମଧ୍ୟ ବିରୋଧୀ ଦଳ ସମାନ ସ୍ଥାନରେ ତୋରଣ ବାନ୍ଧିବା ପାଇଁ କହିଥିଲା । କିନ୍ତୁ ବିଜେପି କର୍ମୀ ସେମାନଙ୍କୁ ତୋରଣ ବନ୍ଧାଇ ଦେଇ ନ ଥିଲେ । ଯାହାଫଳରେ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା ।