fbpx

ରାଜ୍ୟସଭାକୁ ୩ ଥର ସୁଯୋଗ ନାହିଁ! ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବାକୁ ପଡ଼ିବ, ୧୮ ଜଣ ବଡ଼ ନେତାଙ୍କୁ କେନ୍ଦ୍ରୀୟ ନେତୃତ୍ୱର ନିର୍ଦ୍ଦେଶ

Advertisement

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଖେଇ ଆସୁଛି । ଏହାକୁ ନେଇ ବିଜେପି ତା’ର ରଣନୀତି ବଦଳାଇବା ଆରମ୍ଭ କରିଛି । ତେବେ ଏହା ମଧ୍ୟରେ ବିଜେପିର ଯେଉଁ ନେତାମାନେ ରାଜ୍ୟସଭାର ସାଂସଦ ରହିଛନ୍ତି ସେମାନଙ୍କୁ ଆସନ୍ତା ଲୋକସଭା ନିର୍ବାଚନରେ ସିଧାସଳଖ ମୈଦାନକୁ ଓହ୍ଲାଇବାକୁ ପଡ଼ିବ । ଆସନ୍ତା ନିର୍ବାଚନ ପାଇଁ ଏହି ସମସ୍ତ ନେତାଙ୍କୁ ଗୋଟିଏ ଲେଖାଏଁ ନିର୍ବାଚନ ମଣ୍ଡଳୀ ବାଛିବାକୁ ପଡ଼ିବ । ଦୁଇ ଥର ବା ଅଧିକ ଥର ରାଜ୍ୟସଭା ସାଂସଦ ରହିସାରିଥିବା ନେତାଙ୍କୁ ଦଳ ପୁନର୍ବାର ରାଜ୍ୟସଭାକୁ ପଠାଇବ ନାହିଁ ବୋଲି କେନ୍ଦ୍ରୀୟ ନେତୃତ୍ୱ ସ୍ପଷ୍ଟ କରିଛି । ଏ ବାବଦରେ ସମସ୍ତ ରାଜ୍ୟସଭା ସାଂସଦଙ୍କୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏମଏସଏମଇ ମନ୍ତ୍ରୀ ନାରାୟଣ ରାଣେ, ଆୟୁଷ ଓ ବନ୍ଦର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ, ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ, ପରିବେଶ ଓ ଶ୍ରମମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ପର୍ଶୋତ୍ତମ ରୁପଲା କେଉଁଠି ଲଢ଼ିବେ ସେନେଇ ନିଷ୍ପତ୍ତି ନେବେ ।

ସେହିପରି ଡ. କେ. ଲକ୍ଷ୍ମଣ, ସୁଶୀଲ କୁମାର ମୋଦୀ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିଦ ପାତ୍ର, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ଡି.କେ ଅରୁଣା, ଏ.ପି ଅବଦୁଲ୍ଲାକୁଟ୍ଟୀ ଆଦି ନେତା ମଧ୍ୟ ବିଭିନ୍ନ ଆସନରୁ ଲଢ଼ିବେ । ମୁଖତାର ଅବାସ ନକଭୀ ମନ୍ତ୍ରୀ ହେବା ପରେ ବି ତାଙ୍କୁ ଦଳ ତୃତୀୟ ଥର ରାଜ୍ୟସଭାକୁ ପଠାଇ ନଥିଲା । ତେବେ ବିଜେପିର ୧୮ ଜଣ ବଡ଼ ନେତା ଆସନ୍ତା ନିର୍ବାଚନରେ ସିଧାସଳଖ ମୈଦାନଙ୍କୁ ଓହ୍ଲାଇବେ । ଏହି ସାଂସଦଙ୍କ ମଧ୍ୟରେ ୧୦ ଜଣ କେନ୍ଦ୍ରମନ୍ତ୍ରୀ ଓ କିଛି ବିଧାୟକ ରହିଛନ୍ତି । ଏକ ସୂତ୍ର ମୁତାବକ, ନେତାମାନଙ୍କୁ ୫ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟ କରିବାକୁ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ ପକ୍ଷରୁ କୁହାଯାଇଛି । ଏପରି ସ୍ଥଳେ ସେମାନେ କେଉଁ ୩ଟି ଆସନରୁ ଲଢ଼ିବାକୁ ଚାହାନ୍ତି ତାହା ବାଛିବାକୁ କୁହାଯାଇଛି ।

Get real time updates directly on you device, subscribe now.