fbpx

ଘର ଭଡ଼ା ଉପରେ ଲାଗିବ ୧୮ ପ୍ରତିଶତ GST! ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ: ଦ୍ରବ୍ୟ ଓ ସେବା କର (ଜିଏସଟି)କୁ ନେଇ ଏବେ ସାରା ଦେଶରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି । ଗତ ଜୁଲାଇ ମାସରେ କେନ୍ଦ୍ର ସରକାର ନୂଆ ଜିଏସଟି ନିୟମ ଲାଗୁ କରିଥିଲେ । ତେବେ ଏହା ମଧ୍ୟରେ ଜିଏସଟିକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଯଦି ଆପଣ କୌଣସି ଆବାସିକ ସ୍ଥାନରେ ଭଡ଼ାରେ ରହୁଛନ୍ତି ଏଥିପାଇଁ ଆପଣଙ୍କୁ ଭଡ଼ା ବ୍ୟତୀତ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡ଼ିବ । ଏପରି କିଛି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।

ତେବେ ଏହି ଖବର ପଛର ସତ୍ୟତା ନେଇ ଜନସାଧାରଣ ଦ୍ୱନ୍ଦ୍ୱରେ ପଡ଼ିବା ସ୍ୱାଭାବିକ । ଏ ବାବଦରେ ସରକାରଙ୍କ ତରଫରୁ ସ୍ପଷ୍ଟିକରଣ ରଖାଯାଇଛି । ପିଆଇବି ମୁତାବକ, ରେସିଡେନ୍ସିଆଲ ୟୁନିଟକୁ ଯେଉଁ ସମୟରେ କୌଣସି ରେଜିଷ୍ଟର୍ଡ କମ୍ପାନୀର କାରବାର ପାଇଁ ଭଡ଼ାସୂତ୍ରରେ ଦିଆଯାଏ, ସେ କ୍ଷେତ୍ରରେ ଟ୍ୟାକ୍ସ ଲାଗିଥାଏ । ଯଦି ଜଣେ ବ୍ୟକ୍ତିଗତ ବ୍ୟବହାର ପାଇଁ କୌଣସି ସ୍ଥାନକୁ ଭଡ଼ା ଆକାରରେ ନିଏ, ତେବେ ଏଥିପାଇଁ କୌଣସି ଜିଏସଟି ଭରଣା କରିବାକୁ ପଡ଼ିବ ନାହିଁ ।

ସରକାରଙ୍କ ନିୟମ ମୁତାବକ, ଯଦି ଜଣେ ବ୍ୟକ୍ତି କୌଣସି ରେସିଡେନ୍ସିଆଲ ପ୍ରପର୍ଟିକୁ ବିଜିନେସ ଉଦ୍ଦେଶ୍ୟରେ ଭଡ଼ାରେ ନିଏ ତେବେ ତାଙ୍କୁ ଜିଏସଟି ଦେବାକୁ ପଡ଼ିବ । ପୂର୍ବରୁ ଯଦି ଜଣେ କମର୍ସିଆଲ କାମ ପାଇଁ ଅଫିସ ବା ବିଲ୍ଡିଂକୁ ଲିଜ ଆକାରରେ ନେଉଥିଲା ତେବେ ସେ କ୍ଷେତ୍ରରେ କେବଳ ଲିଜ ଉପରେ ଜିଏସଟି ଦେବାକୁ ପଡ଼ୁଥିଲା । ଜିଏସଟି ବୈଠକର ନିଷ୍ପତ୍ତି ପରେ ଏବେ ଲୋକଙ୍କ ମଧ୍ୟରେ ବିରୋଧାଭାସ ଦେଖିବାକୁ ମିଳିଛି । ଏକ୍ସପର୍ଟଙ୍କ ଅନୁଯାୟୀ, ଯଦି ଜଣେ ସାଧାରଣ ବ୍ୟକ୍ତି ଏକ ଘର ବା ପ୍ଲଟକୁ ଭଡ଼ାରେ ନିଏ ତେବେ ସେଥିପାଇଁ ତାଙ୍କୁ ଜିଏସଟି ଦେବାକୁ ପଡ଼ିବ ନାହିଁ । ମାତ୍ର ଯଦି ଜିଏସଟି-ପଞ୍ଜିକୃତ ବ୍ୟକ୍ତି ବା ସଂସ୍ଥା କାରବାର ପାଇଁ କୌଣସି ଘର ବା ପ୍ଲଟକୁ ଭଡ଼ାରେ ନେଲେ ତାଙ୍କୁ ମାଲିକଙ୍କୁ ଭଡ଼ା ଉପରେ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡ଼ିବ ।

Get real time updates directly on you device, subscribe now.