fbpx

ଦିପାବଳୀ ଭାଙ୍ଗିଲା ସବୁ ରେକର୍ଡ: ଟ୍ରାଫିକ ଭିଡ଼ରେ ଫଶିଲେ ୧୦୦୦ ବସ, ୫୦ ହଜାର ଚାରିଚକିଆ ଯାନ ଓ ୨.୫ ଲକ୍ଷ ଜନତା

ନୂଆଦିଲ୍ଲୀ: ସାରା ଦେଶବାସୀ ଆଜି ଦିପାବଳୀକୁ ବଡ଼ ଧୁମଧାମରେ ପାଳନ କରୁଛନ୍ତି । ତେବେ ଏହି ଅବସରରେ ବେଙ୍ଗାଲୁରୁରେ ଦେଖିବାକୁ ମିଳିଛି ଏକ ଅଜବ ଧରଣର ସ୍ଥିତି । ଟ୍ରାଫିକ ଜାମ୍ ସହରର ସବୁ ରେକର୍ଡ ଭାଙ୍ଗି ଦେଇଛି । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ୨.୫ ଲକ୍ଷ ଲୋକ ଟ୍ରାଫିକରେ ଫଶି ରହିଥିଲେ । ଶହ ଶହ ବସ, ହଜାର ହଜାର ଚାରିଚକିଆ ଯାନ ମଧ୍ୟ ଟ୍ରାଫିକରେ ଫଶି ରହିଥିଲେ ।

ଗତ ୧୦ ତାରିଖ ରାତି ୮ଟାରୁ ୨ଟା ପର୍ଯ୍ୟନ୍ତ ସହରର ରାସ୍ତାଘାଟରେ ଟ୍ରାଫିକ ଜାମ ସୀମା ଟପିଯାଇଥିଲା । ପାଖାପାଖି ୨.୫ ଲକ୍ଷ ଲୋକ ଫଶି ରହିଥିଲେ । ୧ ହଜାରରୁ ଅଧିକ ଘରୋଇ ଓ ସରକାରୀ ବସ, ୫୦ ହଜାରରୁ ଅଧିକ ଚାରିଚକିଆ ଯାନ ଫଶି ରହିଥିଲେ । ଲୋକମାନେ ବିଭିନ୍ନ ଦିଗକୁ ଯିବାଆସିବା କରୁଥିବା ବେଳେ ଟ୍ରାଫିକରେ ଭୟଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା । ତେବେ ୧୧ ତାରିଖ ଦିନ ରାତି ୮ଟା ସମୟରେ ପୁଣି ଥରେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଥିଲା ।

ଏକ ରିପୋର୍ଟ ମୁତାବକ, ମୌସୁର ରୋଡ଼ରେ ଥିବା ସାଟେଲାଇଟ ବସଷ୍ଟାଣ୍ଡ ଓ ଅନ୍ୟ ବସ୍ ଟର୍ମିନାଲରେ ୧୦ ତାରିଖ ରାତିରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ସନ୍ଧ୍ୟା ସମୟରେ ଟ୍ରାଫିକ ଭିଡ଼କୁ ନିୟନ୍ତ୍ରଣ କରାଯାଇଥିଲା । ଯେଉଁ ସ୍ଥାନଗୁଡ଼ିକରେ ବସଷ୍ଟାଣ୍ଡ ବା ପିକ-ଅପ୍ ପଏଣ୍ଟ ରହିଥିଲା, ସେଠାରେ ଟ୍ରାଫିକ ପ୍ରତିବନ୍ଧକ ଦୂର ପାଇଁ ବ୍ୟାରିକେଡସ୍ ଲଗାଯାଇଥିଲା । ୧୧ ତାରିଖ ରାତି ୨ଟା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିବା ଟ୍ରାଫିକ ଡିସିପି ସୂଚନା ଦେଇଛନ୍ତି ।

ତେବେ ବେଙ୍ଗାଲୁରୁରେ ଟ୍ରାଫିକ ସମସ୍ୟା ପ୍ରଥମ ଘଟଣା ନୁହେଁ । ଅଧିକାଂଶ ସମୟରେ ଟ୍ରାଫିକରେ ଯାନବାହାନ ଓ ଜନସାଧାରଣ ଘଣ୍ଟା ଘଣ୍ଟା ଫଶି ରହୁଥିବା ଦେଖାଯାଇଥାଏ । ଏହାର ଫଟୋ ଅନେକ ସମୟରେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଥାଏ । ଗତ ସେପ୍ଟେମ୍ବର ମାସ ୨୮ ତାରିଖରେ ମଧ୍ୟ ବେଙ୍ଗାଲୁରୁ ସହର ୫ ଘଣ୍ଟା ଜାମ୍ ହୋଇଥିଲା । ସକାଳୁ ସ୍କୁଲକୁ ଯାଇଥିବା ପିଲାମାନେ ରାତିରେ ଘରକୁ ଫେରିଥିଲେ । ମାତ୍ର ୧ କିମି ରାସ୍ତା ଅତିକ୍ରମ କରିବା ପାଇଁ ଲୋକଙ୍କୁ ୨ ଘଣ୍ଟା ସମୟ ଲାଗି ଯାଇଥିଲା । ତା’ର ଫଟୋ ଓ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ।

Get real time updates directly on you device, subscribe now.