fbpx

ଘନୀଭୂତ ହେଉଛି ଲଘୁଚାପ: ୨ ଦିନ ପ୍ରବଳ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେବାରେ ଲାଗିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଲଘୁଚାପ ପ୍ରଭାବରେ କୋରାପୁଟ, କନ୍ଧମାଳ, ଗଜପତି ଓ ଗଞ୍ଜାମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏଥିସହ କଳାହାଣ୍ଡି, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନାଗିରିରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଶନିବାର ଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ସୂଚନା ଦିଆଯାଇଛି । ଆଗାମୀ ୨ ଦିନ ଏହିସବୁ ଜିଲ୍ଲାରେ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିଲାବେଳେ ୧୧ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ବର୍ଷା ସମୟରେ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ସହ କଚ୍ଚା ଘର ଭାଙ୍ଗିଯିବାର ସମ୍ଭାବନା ଥିବାରୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଏପରିକି ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରହିବା ନିମନ୍ତେ କୁହାଯାଇଛି ।

ଶୁକ୍ରବାର ମଧ୍ୟ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଛି । ଉପକୂଳ ଠାରୁ ଆରମ୍ଭ କରି ଦକ୍ଷିଣ- ଆଭ୍ୟନ୍ତରୀଣ ଓ ଉତ୍ତର-ଆଭ୍ୟନ୍ତରୀଣ ଜିଲ୍ଳାଗୁଡ଼ିକରେ ବର୍ଷାର ପ୍ରକୋପ ଜାରି ରହିବ । ସୂଚନାଯୋଗ୍ୟ ଯେ, ଗତ କିଛିଦିନ ହେବ ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଥିବାବେଳେ ଏବେ ଲଘୁଚାପଜନିତ ବର୍ଷା ଲୋକଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି । ତେବେ ପ୍ରବଳ ବର୍ଷା ଫଳରେ ପୁଣି ଥରେ ରାଜ୍ୟର ବିଭିନ୍ନ ନଦୀଗୁଡ଼ିକରେ ବନ୍ୟା ଆସିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ବର୍ଷା ସମୟରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀମାନଙ୍କୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.