fbpx

ଆଜମ ଖାନଙ୍କୁ ୨ ବର୍ଷର ଜେଲଦଣ୍ଡ: ଘୃଣ୍ୟ ମନ୍ତବ୍ୟ ମାମଲାରେ ନିଷ୍ପତ୍ତି ଶୁଣାଇଲେ କୋର୍ଟ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି (ସପା)ର ବରିଷ୍ଠ ନେତା ଆଜମ ଖାନଙ୍କୁ ଲାଗିଛି ବଡ଼ ଝଟକା । ଘୃଣ୍ୟ ମନ୍ତବ୍ୟ ମାମଲାରେ ଆଜମଙ୍କୁ ଦୁଇ ବର୍ଷର ଜେଲଦଣ୍ଡାଦେଶ ହୋଇଛି । ଗତ ୨୦୧୯ ଲୋକସଭା ନିର୍ବାଚନ ସମୟରେ ଆଜମଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା । ରାମପୁରର ଏମପି-ଏମଏଲଏ କୋର୍ଟ ଆଜମଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆଜମଙ୍କୁ ସର୍ବାଧିକ ୩ ବର୍ଷର ଜେଲଦଣ୍ଡ ହେବାର ଥିଲା, ମାତ୍ର କୋର୍ଟ ଏହି ଦଣ୍ଡାଦେଶକୁ ୨ ବର୍ଷକୁ କମାଇ ଦେଇଥିଲେ ।

ସୂଚନା ମୁତାବକ, ଗତ ୨୦୧୯ ଲୋକସଭା ନିର୍ବାଚନ ସମୟରେ ଘୃଣ୍ୟ ମନ୍ତବ୍ୟ ଦେଇଥିବା ନେଇ ଆଜମଙ୍କ ବିରୋଧରେ ଏକ ମାମଲା ଦାୟର ହୋଇଥିଲା । ରାମପୁର ଜିଲ୍ଲା ମାଜିଷ୍ଟ୍ରେଟ ଏ.କେ ସିଂହ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଆଜମ ଖରାପ ମନ୍ତବ୍ୟ ଦେଇଥିଲେ । ଦୀର୍ଘ ୪ ବର୍ଷ ପରେ ଉକ୍ତ ପୁରୁଣା ମାମଲାର ବିଚାର ହେବା ପରେ ଆଜମ ଦୋଷୀ ସାବ୍ୟସ୍ତ ହେବା ସହିତ ତାଙ୍କୁ ୨ ବର୍ଷର ଜେଲଦଣ୍ଡାଦେଶ ହୋଇଛି ।

ନିର୍ବାଚନ ସମୟରେ ଆଜମ ଦେଇଥିବା ଘୃଣ୍ୟ ମନ୍ତବ୍ୟର ଏକ କ୍ଲିପ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏହି ମନ୍ତବ୍ୟ ଦେବା ପରେ ରାମପୁର ଜିଲ୍ଲା ମାଜିଷ୍ଟ୍ରେଟ ଆଜମଙ୍କ ବିରୋଧରେ ଶାହଜାଦ ନଗର ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ସେହିପରି ଅନ୍ୟ ଏକ ଘୃଣ୍ୟ ମନ୍ତବ୍ୟ ମାମଲାରେ ଆଜମ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଆଜମଙ୍କ ବିରୋଧରେ ୮୦ରୁ ଅଧିକ ମାମଲା ଦାୟର ହେବା ସହିତ ସେ ୨୭ ମାସ ଧରି ଜେଲରେ ରହିଥିଲେ ।

Get real time updates directly on you device, subscribe now.