୨ ବର୍ଷର ବାଳକ ଗିଳିଦେଲା ୮ଟି ଛୁଞ୍ଚି: ସର୍ଜରୀ ପରେ ଡାକ୍ତର କହିଲେ ଭାଗ୍ୟଶାଳୀ ଶିଶୁ

ନୂଆଦିଲ୍ଲୀ: ଛୋଟ ପିଲାଙ୍କୁ ସମ୍ଭାଳିବା ବହୁତ କଷ୍ଟକର ବ୍ୟାପାର । ଅନେକ ସମୟରେ ଶିଶୁଙ୍କ ପାଇଁ ଅନେକ ବଡ଼ ବଡ଼ ସମସ୍ୟା ଉପୁଜିଥାଏ । ଏପରିକି ଜୀବନ ମଧ୍ୟ ଚାଲିଯାଇଥାଏ । ତେବେ ଏହା ମଧ୍ୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୋଟିଏ ୨ ବର୍ଷର ଶିଶୁ ଗୋଟିଏ ନୁହେଁ କି ଦୁଇଟି ନୁହେଁ, ୮ଟି ଛୁଞ୍ଚି ଗୁଳି ଦେଇଥିଲା । ତେବେ ଈଶ୍ୱରଙ୍କ କୃପାରୁ ଶିଶୁଟି ଏବେ ସୁସ୍ଥ ଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ପେରୁରୁ ତାରାପୋଟୋରୁ ଆସିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ଖବର । ଶିଶୁଟିର ପାଚନତନ୍ତ୍ର ଭିତରେ ୮ଟି ଯାକ ଛୁଞ୍ଚି ରହିଥିବା ଡାକ୍ତର ଦେଖିବାକୁ ପାଇଥିଲେ । ସେଥିମଧ୍ୟରୁ ୨ଟି ଛୁଞ୍ଚି ବିପଜ୍ଜନକ ଭାବେ ମଳାଶୟ ଓ ମୁତ୍ରାଶୟ ମଧ୍ୟରେ ପ୍ରବେଶ କରିଯାଇଥିଲା । ଏଥିସହିତ ଶିଶୁଟିର ଗୋଟିଏ ଛୋଟ ଅନ୍ତ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ଛୁଞ୍ଚି ବେଶି ଭିତରୁ ଯାଇ ନଥିବାରୁ ସେଥିରୁ ରକ୍ତସ୍ରାବ ହୋଇନଥିଲା ।

ତେବେ ଛୁଞ୍ଚିଗୁଡ଼ିକ ଗିଳିବା ପରେ ବି ପିଲାଟି ବହୁତ ଭାଗ୍ୟଶାଳୀ ଥିଲା ବୋଲି ଡାକ୍ତର କରିଥିଲେ । କାରଣ ଛୁଞ୍ଚି ଦ୍ୱାରା କୌଣସି ଗମ୍ଭୀର ଆଘାତ ହୋଇନଥିଲା । ଡାକ୍ତର ଦୀର୍ଘ ସମୟର ଅପରେସନ ପରେ ସମସ୍ତ ଛୁଞ୍ଚିକୁ ବାହାର କରିଥିଲେ । ଯଦି ଠିକ୍ ସମୟରେ ସର୍ଜରୀ କରାଯାଇ ନଥାନ୍ତା ତେବେ ଶିଶୁଟିର ଜୀବନ ବଞ୍ଚି ପାରି ନଥାନ୍ତା । ପଶୁଙ୍କୁ ଦିଆଯାଉଥିବା ଇଞ୍ଜେକସନକୁ ଜମି ମାଲିକ ବାହାରେ ଫୋପାଡ଼ି ଦେଇଥିଲେ । ଶିଶୁଟି ତା’ର ପରିଜନଙ୍କ ସହିତ କ୍ଷେତକୁ ଯାଇଥିବା ବେଳେ ସେଠାରେ ସେ ୮ଟି ଛୁଞ୍ଚି ଗିଳି ଦେଇଥିଲା ।

ତେବେ ଏହା ପ୍ରଥମ ଘଟଣା ନୁହେଁ । ନିକଟରେ ଚୀନର ଶାନକ୍ସିରେ ଗୋଟିଏ ୫ ମାସର ଶିଶୁ ସିଲେଇ ମେଶିନର ଛୁଞ୍ଚି ଗୁଳି ଦେଇଥିଲା । ପେଟ ଭିତରେ ଛୁଞ୍ଚି ପଶିଯିବା ପରେ ତାହା ହାର୍ଟର ବାମ ପଟେ କଣା କରିଦେଇଥିଲା । ଡାକ୍ତର ଅପରେସନ କରି ଶିଶୁର ଜୀବନ ବଞ୍ଚାଇଥିଲେ । ସେହିପରି ଗତବର୍ଷ ଜଣେ ୫୪ ବର୍ଷୀୟା ମହିଳା ମଧ୍ୟ ସିଲେଇ ଛୁଞ୍ଚି ଗୁଳି ଦେଇଥବଲେ । ମାତ୍ର ସବୁଠାରୁ ବଡ଼ କଥା, ଛୁଞ୍ଚି ଗିଳିବା ପରେ ମହିଳାଙ୍କ ଠାରେ ଏନେଇ କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା ।