fbpx

(Video) ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ: ଲୋକମାନେ ପ୍ରାଣ ବିକଳରେ ତଳକୁ ଡେଇଁଲେ, ୨୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଗ୍ରୀଷ୍ମ ସିଜିନ ଚାଲିଥିବା ବେଳେ ଜନସାଧାରଣ ତାତିରେ ଛଟପଟ ହେଉଛନ୍ତି । ଏଭଳି ସ୍ଥିତିରେ ଯଦି କୌଣସି ସ୍ଥାନରେ ଅଗ୍ନିକାଣ୍ଡ ଘଟେ, ତେବେ ପରିସ୍ଥିତି ଆହୁରି ବିଗିଡ଼ିଯିବାର ସମ୍ଭାବନା ରହିଥାଏ । ତେବେ ଆଜି ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ବହୁ ଲୋକଙ୍କର ମୃତ୍ୟୁ ଘଟିଛି । ଏଥିସହିତ ଅନେକ ଲୋକଙ୍କୁ ଉଦ୍ଧାର କରାଯାଇଛି । ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ପାଖାପାଖି ଦେଢ଼ ଘଣ୍ଟା ସମୟ ଲାଗିଯାଇଥିଲା ।

ସୂଚନା ମୁତାବକ, ଚୀନର ରାଜଧାନୀ ବେଜିଂରେ ଏକ ହସ୍ପିଟାଲରେ ଆଜି ଭୀଷଣ ଅଗ୍ନିକାଣ୍ଡ ଦେଖିବାକୁ ମିଳିଥିଲା । ରୋଗୀ ବିଭାଗର ପୂର୍ବ ୱିଙ୍ଗିରେ ଏହି ଅଘଟଣ ଘଟିଥିଲା । ଆଜି ଦ୍ୱିପ୍ରହର ପାଖାପାଖି ୧୨.୫୭ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ ପାଖାପାଖି ଦେଢ଼ଘଣ୍ଟା ସମୟ ଲାଗିଯାଇଥିଲା । ତେବେ ଅଗ୍ନିକାଣ୍ଡ ନେଇ ଖବର ପାଇବା ପରେ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିଥିଲେ ।

ତେବେ ବେଜିଂ ଚାଙ୍ଗଫେଙ୍ଗ ହସ୍ପିଟାଲରେ ଘଟିଥିବା ଏହି ଦୁର୍ଘଟଣାରେ ୨୧ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି । ଉଦ୍ଧାରକାରୀ ଟିମ୍ ୭୧ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ । ଉଦ୍ଧାର ହୋଇଥିବା ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ହସ୍ପିଟାଲର ଏକ ଖିଡ଼କୀରେ ନିଆଁ ଲାଗିବା ପରେ ତାହା ଚାରିଆଡ଼େ ବ୍ୟାପିଯାଇଥିଲା । ଏହି ସମୟରେ ଅନେକ ଲୋକ ଏୟାର କଣ୍ଡିସନିଂ ରୁମରେ ଛିଡ଼ା ହୋଇଥିବା ବେଳେ ନିଆଁ ଲାଗିବା ଖବର ପାଇବା ପରେ ସେମାନେ ତଳକୁ ଡେଇଁବାରେ ଲାଗିଥିଲେ । ତେବେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କିଛି ସୂଚନା ମିଳିପାରି ନାହିଁ ।

Get real time updates directly on you device, subscribe now.