fbpx

୨୧ ଜଣ TMC ବିଧାୟକ BJPକୁ ଡେଇଁବେ! ପୁଣି ହଲଚଲ ହେଲା ବଙ୍ଗ ରାଜନୀତି

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ରାଜ୍ୟରେ ଗେରୁଆ ବାନା ଉଡ଼ାଇବାର ନିଶା ବିଜେପିର ସତେ ଯେମିତି ନିଶା ପାଲଟି ଯାଇଛି । ଦୁଇମାସ ପୂର୍ବରୁ ବିଜେପି ମହାରାଷ୍ଟ୍ରରେ ସୁପର ପ୍ଲାନ ପ୍ରୟୋଗ କରି ଉଦ୍ଧବ ଠାକରେଙ୍କୁ ଗାଦିଚ୍ୟୁତ କରିବାରେ ସକ୍ଷମ ହୋଇଥିଲା । ଏହାପରେ ବିଜେପିର ପରବର୍ତ୍ତୀ ନିଶାଣରେ ବିହାର ରହିଛି ବୋଲି ନୀତିଶ କୁମାରଙ୍କ ହୃଦବୋଧ ହୋଇଥିଲା । ତେଣୁ ନିଜର ଚତୁର ବୁଦ୍ଧି ବଳରେ ନୀତିଶ ଭାଜପା ଠାରୁ ଦୂରେଇ ଯାଇ ଆରଜେଡି ସହ ମିଶି ରାଜ୍ୟରେ ନୂଆ ସରକାର ଗଠନ କରିଥିଲେ ।

ତେବେ ଏବେ ଭାଜପାର ନଜର ପଡ଼ିଛି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ମମତା ବାନାର୍ଜୀଙ୍କ ଗଡ଼ ପଶ୍ଚିମବଙ୍ଗ ଉପରେ । ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କ ବୟାନକୁ ନେଇ ହଲଚଲ ହୋଇ ଉଠିଛି ଦିଦିଙ୍କ ଗଡ଼ । ସିବିଆଇ ଓ ଇଡି ଜାଲରେ ତୃଣମୂଳ କଂଗ୍ରେସର ଏକାଧିକ ନେତା ଜେଲ କୋଠରୀରେ କାଳ କାଟୁଥିବା ବେଳେ ଏହି ସମୟରେ ଏକ ବାଣ ମାରିଛନ୍ତି ମିଥୁନ । ବିଜେପି ସଂପର୍କରେ ୨୧ ଜଣ ବିଧାୟକ ରହିଥିବା ସେ ଦୃଢ଼ତାର ସହ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ଜୁଲାଇ ମାସରେ ମଧ୍ୟ ମିଥୁନ ଏପରି ଏକ ବଡ଼ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ । ବିଜେପି ସମ୍ପର୍କରେ ଟିଏମସିର ୩୮ ଜଣ ବିଧାୟକ ରହିଥିବା ସେତେବେଳେ ସେ କହିଥିଲେ । ମହାରାଷ୍ଟ୍ର ପରି ବଙ୍ଗରେ ମଧ୍ୟ ରାଜନୈତିକ ଦୃଶ୍ୟପଟ୍ଟ ପରିବତ୍ତର୍ନ ହେବ ବୋଲି କହିଥିଲେ । ତେବେ ବର୍ତ୍ତମାନ ବିଜେପି ସମ୍ପର୍କରେ ଥିବା ଟିଏମସି ବିଧାୟକଙ୍କ ପ୍ରକୃତ ଅଙ୍କ ବିଷୟରେ ଖୁଲାସା କରାଯିବ ନାହିଁ । ଏବେ ଫିଲ୍ମର ମ୍ୟୁଜିକ ରିଲିଜ ହୋଇଛି, ଆଗକୁ ଟ୍ରେଲର ଓ ଫିଲ୍ମ ଆସିବ, ତେଣୁ ଅପେକ୍ଷା କରନ୍ତୁ ବୋଲି ମିଥୁନ କହିଛନ୍ତି ।

ତେବେ ଦୁଇ ମାସର ନିରବତା ପରେ ପୁଣି ଥରେ ମିଥୁନ ଏହି ପ୍ରସଙ୍ଗ ଉଠାଇବା ପଛର ରହସ୍ୟ କ’ଣ ହୋଇପାରେ । ମହାରାଷ୍ଟ୍ର ପରେ ବିଜେପିର ଲକ୍ଷ୍ୟ ବୋଧହୁଏ ବିହାର ଉପରେ ରହିଥିଲା । ମାତ୍ର ସେଠାରେ ବିଜେପିକୁ ସଫଳତା ନ ମିଳିବାରୁ ବୋଧହୁଏ ଏବେ ବଙ୍ଗମୁହାଁ ହେବାକୁ ଯାଉଛି ଭାଜପାର ମୌସୁମୀ ପ୍ରବାହ । ଦେଖାଯାଉ ଆଗାମୀ ଦିନରେ ରାଜନୈତିକ ପାଣିପାଗର ସ୍ଥିତି କିପରି ରହୁଛି ।

Get real time updates directly on you device, subscribe now.