fbpx

ଓଡ଼ିଶାରେ ବେଆଇନ ଲିଙ୍ଗ ନିରୂପଣ କ୍ଲିନିକ୍‌ ସଂପର୍କରେ ସୂଚନା ଦେ‌ଲେ ମିଳିବ ୨୫ହଜାର: ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ୍‌

Advertisement

ଭୁବନେଶ୍ବର : ବେଆଇନ ଲିଙ୍ଗ ନିରୂପଣ କରୁଥିଲେ ସାବଧାନ । ରାଜ୍ୟରେ ଏଣିକି ବେଆଇନ ଲିଙ୍ଗ ନିରୂପଣ କ୍ଲିନିକ୍‌/ହସ୍ପିଟାଲ ସଂପର୍କରେ ସୂଚନା ଦେଲେ ସୂଚନାଦାତାଙ୍କୁ ୨୫ହଜାର ଟଙ୍କା ମିଳିବ। ସୂଚନା ଦେଇଥିବା ବ୍ୟକ୍ତିଙ୍କ ସମସ୍ତ ତଥ୍ୟ ଗୋପନ ରଖାଯିବା। ଏଥିପାଇଁ ରାଜ୍ୟ ସରକାର ସୂଚନାଦାତା ପ୍ରୋତ୍ସାହନ ଯୋଜନା ଆରମ୍ଭ କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂପର୍କିତ ଗାଇଡଲାଇନ୍‌ ଜାରି ହୋଇଛି। ସବୁ ଜିଲ୍ଲାପାଳ ଓ ଜିଲ୍ଲା ପିସି ଏଣ୍ଡ ପିଏନ୍‌ଡିଟି ଅଧିକାରୀଙ୍କୁ ଏ ସଂପର୍କିତ ସୂଚନା ଦିଆଯାଇଛି ।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ(ଏନ୍‌ଏଫ୍‌ଏଚ୍‌ଏସ୍‌)-୫ ଅନୁଯାୟୀ ଓଡ଼ିଶାରେ ପ୍ରତି ୧ହଜାର ଶିଶୁପୁତ୍ରଙ୍କ ତୁଳନାରେ ୮୯୪ ଶିଶୁକନ୍ୟା ରହିଛନ୍ତି। ଦିନକୁ ଦିନ ଶିଶୁକନ୍ୟାଙ୍କ ସଂଖ୍ୟାରେ ହ୍ରାସ ହେଉଛି। ପ୍ରଯୁକ୍ତିବିଦ୍ୟାର ଅପବ୍ୟବହାର କରି ଭ୍ରୁଣହତ୍ୟା କରାଯାଉଛି। ୧୯୯୪ ମସିହାରେ ପିସି ଏଣ୍ଡ ପିଏନ୍‌ଡିଟି ଆଇନ ଆସିବା ସମୟରେ ରାଜ୍ୟରେ ୧୧୯୦ ଅଲ୍‌ଟ୍ରାସାଉଣ୍ଡ କ୍ଲିନିକ୍‌ ରହିଥିଲା। ତେବେ ତହିଁରୁ ୨୫ ପ୍ରତିଶତ କ୍ଲିନିକ୍ ଏବେ ବନ୍ଦ ହୋଇଗଲାଣି। ସଂପୃକ୍ତ କ୍ଲିନିକ୍‌ର ମାଲିକଙ୍କ ମୃତ୍ୟୁ, ପଞ୍ଜୀକରଣ ସାର୍ଟିଫିକେଟ୍‌ର ପ୍ରତ୍ୟାର୍ପଣ ଓ କ୍ଲିନିକ୍ ବନ୍ଦ ହେବା ଭଳି ଏକାଧିକ କାରଣ ଏଥିପାଇଁ ଦାୟୀ।

ତେବେ ଯେଉଁ କ୍ଲିନିକ୍‌ ଏବେ କାର୍ଯ୍ୟକ୍ଷମ ରହିଛି ତହିଁରେ ବେଆଇନ ଭାବେ ଲିଙ୍ଗ ନିରୂପଣ କରାଯାଉଛି କି ନାହିଁ ତାହା ସଂପର୍କରେ ସୂଚନା ପାଇବା ଓ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି। ୩ଟି କିସ୍ତିରେ ସୂଚନାଦାତାଙ୍କୁ ୨୫ହଜାର ଟଙ୍କା ପ୍ରଦାନ କରାଯିବ। ବେଆଇନ କ୍ଲିନିକ୍ ସଂପର୍କରେ ସୂଚନା ଠିକ୍ ରହିଥିଲେ ୧୦ହଜାର, କ୍ଲିନିକ୍ ମାଲିକ/ଡାକ୍ତରଙ୍କ ବିରୋଧରେ ଚାର୍ଜଫ୍ରେମ୍ ହେଲେ ଆଉ ୧୦ହଜାର ଓ ଦଣ୍ଡବିଧାନ ହେଲେ ଶେଷ ୫ହଜାର ଟଙ୍କା ଦିଆଯିବ। ଜାତୀୟ ସ୍ବାସ୍ଥ୍ୟ ମିସନ୍(ଏନ୍‌ଏଚ୍‌ଏମ୍) ପାଣ୍ଠିରୁ ସୂଚନାଦାତାଙ୍କୁ ଏହି ଅର୍ଥ ପ୍ରଦାନ କରାଯିବ। ଏହି ଯୋଜନା ସଂପର୍କରେ ଅଧିକରୁ ଅଧିକ ‌ସଚେତନ କରିବା ଲାଗି ବିଭାଗ ପକ୍ଷରୁ ଗୁରୁତ୍ବାରୋପ କରାଯାଇଛି।

ଏହା‌ସହ ଅଭିଯୋଗ ରଖିବା ପାଇଁ ଜଣେ ଅଧିକାରୀ ଓ ତାଙ୍କ ଯୋଗାଯୋଗ ନମ୍ବର ପ୍ରଦାନ କରାଯିବ। ସୂଚନା ପ୍ରଦାନକାରୀଙ୍କ ଗୋପନୀୟ ତଥ୍ୟ ସମ୍ବଳିତ ଫାଇଲ୍‌ ଓ ଅଭିଯୋଗର ପଞ୍ଜୀକରଣ, ସୂଚନାକାରୀଙ୍କ ପାଇଁ ଏକ ବିଶ୍ବସନୀୟ ନେଟୱାର୍କ ପ୍ରସ୍ତୁତ କରିବା ଓ ଅଭିଯୋଗ ପାଇବା ପରେ ଜିଲ୍ଲା ଟାସ୍କ ଫୋର୍ସ କମିଟି ତଥ୍ୟ ଅନୁସନ୍ଧାନ କରିବା ଲାଗି ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଉଲ୍ଲେଖ ଯେ ବେଆଇନ କ୍ଲିନିକ୍‌ର ଯାଞ୍ଚ ପାଇଁ ପୂର୍ବରୁ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ଗଠନ ହୋଇଛି। ଜିଲ୍ଲାପାଳ ଏହାର ଅଧ୍ୟକ୍ଷ ଥିବା ବେଳେ ସିଡିଏମ୍‌ଓ, ଏସ୍‌ପି ଓ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ଏହାର ସଦସ୍ୟ ରହିଛନ୍ତି।

Get real time updates directly on you device, subscribe now.