ନୂଆଦିଲ୍ଲୀ: ଆଜିକାଲିର ରାସ୍ତାଘାଟର ଟ୍ରାଫିକ ସମସ୍ୟା ଯାହା କେତେବେଳେ ଯେ ଦୁର୍ଘଟଣା ଘଟିବ ତାହା କହିବା ମୁସ୍କିଲ । ସେଥିପାଇଁ ମଦ୍ୟପାନ ନ କରି, ହେଲମେଟ ପିନ୍ଧିବା ସହିତ ଟ୍ରାଫିକ ନିୟମ ମାନିବାକୁ ସରକାରଙ୍କ ତରଫରୁ ଗାଡ଼ି ଚାଳକଙ୍କୁ ପରାମର୍ଶ ଦିଆଯାଇଥାଏ । ତେବେ ଯେତେ ନିୟମ ପ୍ରଣୟନ କଲେ ମଧ୍ୟ ଅନେକ ସମୟରେ ଡ୍ରାଇଭରଙ୍କ ସାମାନ୍ୟ ଅସାବଧାନତା କାରଣରୁ ଅନେକ ଯାତ୍ରୀଙ୍କ ଜୀବନ ବିପଦ ଆଡ଼କୁ ଠେଲି ହୋଇଯାଇଥାଏ ।
ତେବେ ଏହା ମଧ୍ୟରେ ଜମ୍ମୁ କଶ୍ମୀରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଉଧମପୁର ଜିଲ୍ଲାରେ ଏକ ଯାତ୍ରୀବାହୀ ବସ୍ ହଠାତ୍ ଓଲଟି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ଅତିକମରେ ୨୭ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲା ।
ଖବର ମୁତାବକ, ଉଧମପୁର ଜିଲ୍ଲାର ରାମନଗର ଅଞ୍ଚଳର ଡାକ ବଙ୍ଗଳା ନିକଟରେ ଏହି ଅଘଟଣ ଘଟିଥିଲା । ଏହି ଦୁର୍ଘଟଣାରେ ୨୭ ଜଣ ଯାତ୍ରୀ ଆହତ ହୋଇଥିବା ଅଫିସିଆଲ ଭାବେ ଜଣାପଡ଼ିଛି । ସମସ୍ତ ଆହତଙ୍କୁ ରାମନଗରର ଉପ-ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ବସଟି ରାମନଗରରୁ ସୁରନି ଅଭିମୁଖେ ଯାତ୍ରା କରୁଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ଆହତ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି ।