fbpx

ରାଜ୍ୟରୁ ୨୭୦ ପଜିଟିଭ୍ ଚିହ୍ନଟ, ଆଜି ୩ ଜଣ ପ୍ରାଣ ହରାଇଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ ସଂକ୍ରମଣ ଚିହ୍ନଟ ହେଉଥିବା ଜଣାପଡ଼ିଛି । ଜିଲ୍ଲାର ୯୦ ପ୍ରତିଶତ ସଂକ୍ରମଣ ରାଜଧାନୀ ଭୁବନେଶ୍ୱରରୁ ମିଳୁଛି । ରାଜଧାନୀରେ ବ୍ୟାପକ ଟିକାକରଣ, ସଚେତନତା, ଚଢ଼ାଉ ପରେ ବି ସଂକ୍ରମଣ କମୁନାହିଁ । ତେବେ ଲୋକମାନେ ଅନ୍ୟ ଜିଲ୍ଲାରୁ ଭୁବନେଶ୍ୱର ଆସୁଥିବାରୁ ସଂକ୍ରମଣ ବୃଦ୍ଧି ପାଉଥିବା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ମତ ଦେଉଛନ୍ତି ।

ଆଜି ୨୭୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୫୯ ଓ ସ୍ଥାନୀୟ ଅଞ୍ଚଳରୁ ୧୧୧ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୫୭ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୯ ହଜାର ୮୬୭ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୮ ହଜାର ୯୭୧ ରହିଥିବା ବେଳେ ୨ ହଜାର ୪୨୫ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୪୧୮କୁ ବୃଦ୍ଧି ପାଇଛି । ଭୁବନେଶ୍ୱର, ସୁନ୍ଦରଗଡ଼ ଓ କଟକ ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.