fbpx

୨୮ ଜଣ ଛାତ୍ରଛାତ୍ରୀ ମେଡିକାଲରେ ଭର୍ତ୍ତି; ଭୂତାଣୁ ଜନିତ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଆଶଙ୍କା

ଓଡିଶା ଭାସ୍କର; କେନ୍ଦୁଝର ହଷ୍ଟେଲରୁ ୨୮ ଜଣ ଛାତ୍ରଛାତ୍ରୀ ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଧରଣୀଧର ମେଡିକାଲ କଲେଜ ହସ୍ପିଟାଲର ଶିଶୁ ୱାର୍ଡରେ ସମସ୍ତ ଛାତ୍ରୀଛାତ୍ର ଚିକିତ୍ସିତ ହେଉଥିବା ସୂଚନା ରହିଛି । ଏହି ଛାତ୍ରୀଛାତ୍ର ମାନେ ଭୂତାଣୁ ଜନିତ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରେ ଏସ୍‌ସି/ଏସ୍‌ଟି ବିଭାଗ ଅଧୀନରେ ପରିଚାଳିତ ଅନ୍ଵେଷା ହଷ୍ଟେଲରେ ସମୁଦାୟ ୪୬୦ ଛାତ୍ରଛାତ୍ରୀ ମାଗଣାରେ ରହୁଥିବା ବେଳେ ବିଭିନ୍ନ ପବ୍ଲିକ ସ୍କୁଲରେ ଅଧ୍ୟୟନ କରୁଛନ୍ତି। ସେମାନଙ୍କୁ ସ୍କୁଲ ନେବା ଆଣିବା କରିବା ପାଇଁ ମାଗଣାରେ ବସ୍‌ ବ୍ୟବସ୍ଥା କରାଯାଇଛି। ସବୁଦିନ ଭଳି ବ୍ରେଡ୍‌ ଓ ଜାମ୍‌ ଖାଇ ୧୯୦ ଜଣ ପିଲା ପଳାଶପଙ୍ଗାସ୍ଥିତ ଗ୍ରୀନ୍‌ ଫିଲ୍ଡ ସ୍କୁଲକୁ ପାଠ ପଢ଼ିବାକୁ ଯାଇଥିଲେ। ପ୍ରାର୍ଥନା ସମୟରେ ହଠାତ ୧୮ ଜଣ ପିଲା ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ କେନ୍ଦୁଝର ଆଣି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ରାତିରେ ଆଉ ୧୦ ଜଣଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସମସ୍ତଙ୍କୁ ମିଶାଇ ଏବେ ମୋଟ ୨୮ ଜଣ ଛାତ୍ରଛାତ୍ରୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ସୂଚନା ଥାଉକି, ଶନିବାର ହଷ୍ଟେଲରେ ଅନ୍ୟ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବଂ ହଷ୍ଟେଲର ସ୍ୱାସ୍ଥ୍ୟ ଓ ପରିବେଶ ଅବସ୍ଥା ନିରୀକ୍ଷଣ କରିବାକୁ ସିଡିଏମ୍‌ଓ କେନ୍ଦୁଝରଙ୍କ ନେତୃତ୍ୱରେ ଏକ ସ୍ୱାସ୍ଥ୍ୟ ଦଳ ଉକ୍ତ ହଷ୍ଟେଲକୁ ଯାଇଥିଲେ। ଅନ୍ୟପଟେ ମେଡିକାଲରେ ଚିକିତ୍ସାଧୀନ ଥିବା ଛାତ୍ରଛାତ୍ରୀ ଭୂତାଣୁ ଜନିତ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି । ତେବେ ବର୍ତ୍ତମାନ ଆଉ କେତେ ଜଣ ଆକ୍ରାନ୍ତ ହେଲେଣି ଓ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା କିପରି ଅଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

Get real time updates directly on you device, subscribe now.