fbpx

BSKYରେ ଯୋଡିହେଲା ଆଉ ୨୯ଟି ସ୍ପେସିଆଲିଟି ହସ୍‍ପିଟାଲ, ସମୁଦାୟ ପଞ୍ଜିକୃତ ହସ୍ପିଟାଲ୍ ସଂଖ୍ୟା ୫୮୩ କୁ ବୃଦ୍ଧି

Advertisement

ଭୁବନେଶ୍ୱର: ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ୱାସ୍ଥ୍ୟ ସେବା ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି । ଯୋଜନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡି.ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରୁ ଏହା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟ ଭିତର ଓ ବାହାରର ୫୫୪ଟି ସୁପର ସ୍ପେସିଆଲିଟି ହସ୍‍ପିଟାଲକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ସେଥିମଧ୍ୟରୁ ୧୦୩ ହସ୍‍ପିଟାଲ ରାଜ୍ୟ ବାହାରର । ଇତିମଧ୍ୟରେ ରାଜ୍ୟରେ ଥିବା ଆଉ ୨୯ଟି ସ୍ପେସିଆଲିଟି ହସ୍‍ପିଟାଲକୁ ତାଲିକାଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।

ରାଜ୍ୟ ବାହାରେ ପଞ୍ଜିକୃତ ହୋଇଥିବା ହସ୍ପିଟାଲ୍ ମାନଙ୍କ ସହ ଭିଡିଓ କନ୍ଫରେନ୍ସିଂ ଏବଂ ମୋବାଇଲ ଫୋନ ମାଧ୍ୟମରେ ବରାବର ଯୋଗାଯୋଗରେ ରହିବାକୁ ଅତିରିତ୍କ ଶାସନ ସଚିବ ନୋଡାଲ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସଫ୍ଟ ଓୟାର ନବୀକରଣ ଏବଂ ଚିକିତ୍ସା ବିଲ୍ ଗୁଡ଼ିକର ସମୟାନୁବନ୍ଧିତ ପୈଠ ଆଦି ବିଷୟ ମୁଖ୍ୟତଃ ସମୀକ୍ଷା ହୋଇଥିଲା। ଉଲ୍ଲେଖଯୋଗ୍ୟ, ହସ୍ପିଟାଲ୍ ଗୁଡ଼ିକୁ ତାଲିକା ଅନ୍ତର୍ଭୁକ୍ତ କରିବା ପୂର୍ବରୁ ସେହିଥିରେ ଥିବା ଚିକିତ୍ସା ସୁବିଧା, ସ୍ପେଶଲିଷ୍ଟ ଡାକ୍ତର, ଆଧୁନିକ ଯନ୍ତ୍ରପାତି, ରୋଗୀଙ୍କ ପାଇଁ ଆନୁସଙ୍ଗିକ ସୁବିଧା ଆଦିକୁ ବୈଷୟିକ ଟିମ୍ ଦ୍ଵାରା ଯାଞ୍ଚ କରାଯାଇଥାଏ। ଏହି ୨୯ ଟି ହସ୍ପିଟାଲ ପଞ୍ଜିକୃତ ହେଲେ ସମୁଦାୟ ପଞ୍ଜିକୃତ ହସ୍ପିଟାଲ୍ ସଂଖ୍ୟା ୫୮୩ କୁ ବୃଦ୍ଧି ପାଇବ।

Get real time updates directly on you device, subscribe now.