(Breaking) ବ୍ରିଜ ଆଣ୍ଡ ରୁଫ ଦୁର୍ନୀତି ମାମଲା: ଏବେ ବିଚାର ବିଭାଗୀୟ ହାଜତ ଅଭିଯୁକ୍ତଙ୍କ ଠିକଣା

ଭୁବନେଶ୍ୱର- ରାଜଧାନୀରୁ ୧୦ ଲକ୍ଷ ସିବିଆଇ ଜବତ ଘଟଣାରେ ସରିଲା ରିମାଣ୍ଡ ଅବଧି । ତିନି ଅଭିଯୁକ୍ତଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ସେପଟେ ମାମଲାରେ ବିଷ୍ଣୁପଦ ସେଠୀ, ଆଇଏଏସଙ୍କ ନାଁ ଆସିବାରୁ କଂଗ୍ରେସ ତରଫରୁ ବିକ୍ଷୋଭ ବେଳେ ମହୁମାଛି କାମୁଡି ବହୁ କର୍ମୀ ଆହତ ।

ବ୍ରିଜ ଆଣ୍ଡ ରୁଫ ମାମଲାରେ ଆଜି କମ୍ପାନୀର ନିର୍ଦ୍ଦେଶକ ଚଞ୍ଚଳ ମୁଖାର୍ଜୀ, ଠିକାଦାର ସନ୍ତୋଷ ମହାରଣା ଓ ମଧ୍ୟସ୍ଥି ଦେବଦତ୍ତ ମହାପାତ୍ରଙ୍କୁ ସିବିଆଇ ଗିରଫ କରି ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ନେଇ ପଚରା ଉଚରା କରିଥିଲା । ଏହି ରିମାଣ୍ଡ ଅବଧି ଆଜି ଶେଷ ହୋଇଛି । ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ । ଆଜି ମଧ୍ୟସ୍ଥି ଦେବଦତ୍ତ ଓ ବ୍ରିଜ ଆଣ୍ଡ ରୁଫ କମ୍ପାନୀ ନିର୍ଦ୍ଦେଶକ ଚଞ୍ଚଳ ରିମାଣ୍ଡ ଅବଧି ସରିବା ପରେ କୋର୍ଟରେ ହାଜର ହୋଇଥିଲେ । କିନ୍ତୁ ଠିକାଦାର ସନ୍ତୋଷ ଜେରା କାଳରେ ଅସୁସ୍ଥ ହୋଇ ପଡିବାରୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ଏମାନଙ୍କୁ ଗତ ସାତ ତାରିଖରେ ମେ ଫେୟାର ହୋଟେଲ ସମ୍ମୁଖରୁ ଦିଲ୍ଲୀ ସିବିଆଇ ୧୦ ଲକ୍ଷ ଟଙ୍କା ଓ ବହୁ ସୁନା ଅଳଙ୍କାର ସହ କାବୁ କରି ନେଇଥିଲା । ଡିଲ ପାଇଁ ସେମାନେ ହୋଟେଲ ଆସୁଥିବା ବେଳେ ସିବିଆଇ ସେମାନଙ୍କୁ ଧରିଥିଲା । ପରେ ସେମାନଙ୍କୁ ଗିରଫ କରିଥିଲା । ଏମାନଙ୍କୁ ଜେରା କରିବା କାଳରେ ସିବିଆଇ ବହୁ ଦସ୍ତାବିଜ, ଅର୍ଥ ଠାବ କରିଛି । ମାମଲାରେ ଓଡିଶାର ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି ।

ଯାହାକୁ ନେଇ ଯୁବ ଓ ଛାତ୍ର କଂଗ୍ରେସ ତରଫରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମୋହନ ସରକାର ତୁରନ୍ତ ସେଠୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ତେବେ ସେଠୀଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ କରିବା ବେଳେ ମହୁମାଛି କାମୁଡାରେ ବହୁ କଂଗ୍ରେସ କର୍ମୀ ଆହତ ହୋଇଛନ୍ତି ।