ଓଡ଼ିଶାକୁ ଆସିବେ ଆଉ ୩ଟି ମହାବଳ ବାଘ, ଜଙ୍ଗଲ ପରିବେଶ ମନ୍ତ୍ରୀଙ୍କ ସୂଚନା
ଯମୁନା ଓ ଜିନତଙ୍କ ପରେ ଓଡ଼ିଶା ଆସିବେ ୩ ମହାବଳ ବାଘ, ସୂଚନା ଦେଲେ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ
ଭୁବନେଶ୍ୱର: ଓଡ଼ିଶାକୁ ଆସିବେ ଆଉ ୩ଟି ମହାବଳ ବାଘ । ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ସୂଚନା ଜାରି କରିଛନ୍ତି ।
ସେ କହିଛନ୍ତି ଯେ, “ଆଉ ୩ଟି ବାଘ ନେଇ ବିଚାର ବିମର୍ଶ ଚାଲିଛି । ସେମାନଙ୍କୁ ଡେବ୍ରିଗଡ଼ ଅଭୟାରଣ୍ୟରେ ଛଡ଼ାଯିବ । ୫ ମହାବଳରୁ ଯମୁନା, ଜିନତ ଆସି ସାରିଛନ୍ତି, ଆଉ ୩ ଆସିବେ । ଯମୁନା ଜିନତ ଖାପ ଖୁଆଇଲା ପରେ ଆଉ ଆଣିବାକୁ ନିଷ୍ପତ୍ତି ନିଆଯିବ ।”
ଶିମିଳିପାଳ ଫେରିଲା ଜିନ୍ନତ: ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ବାଘୁଣୀ ଜିନ୍ନତକୁ ଶିମିଳିପାଳ ଅଭୟାରଣ୍ୟକୁ ଅଣା ଯାଇଥିଲା । ଗତ ଡିସେମ୍ବର ୮ ତାରିଖରେ ଶିମିଳିପାଳରୁ ଜିନ୍ନତ ଝାଡ଼ଖଣ୍ଡ ଯାଇଥିଲା । ସେଠାରେ କିଛିଦିନ ବୁଲିବା ପରେ ଓଡ଼ିଶା ମୁହାଁ ହୋଇଥିଲା । ହେଲେ ଓଡ଼ିଶା ନ ଫେରି ପଶ୍ଚିମବଙ୍ଗକୁ ଚାଲି ଯାଇଥିଲା । ସେଠାରେ ବାଙ୍କୁଡାର ରାଣୀବନ୍ଧ ଜଙ୍ଗଲରେ ଡିସେମ୍ବର ୨୯ ତାରିଖ ଜିନ୍ନତକୁ ଟ୍ରାଙ୍କୁଲାଇଜ କରି କାବୁ କରା ଯାଇଥିଲା ।
ଜିନ୍ନତକୁ ଶିମିଳିପାଳ ଫେରାଇ ଆଣିବାକୁ ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ବନବିଭାଗର ୧୨୦ ଜଣ ଏକ ଟିମ୍ ଲାଗିଥିଲା । ବାଙ୍କୁଡାର ରାଣୀବନ୍ଧ ଜଙ୍ଗଲରେ ମଇଁଷିର ଲୋଭ ଦେଖାଇ ଜିନ୍ନତକୁ ଟ୍ରାଙ୍କୁଲାଇଜ କରିବାରେ ସକ୍ଷମ ହୋଇଥିଲେ ବନ କର୍ମଚାରୀ ।