fbpx

ବିଜେପି ପାଇଁ ପୁଣି ଏକ ଅଗ୍ନିପରୀକ୍ଷା: ଆଗାମୀ ୬ ମାସରେ ହେବ ୩ଟି ରାଜ୍ୟର ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ନିକଟରେ ସମାପ୍ତ ହୋଇଥିବା ଲୋକସଭା ନିର୍ବାଚନରେ ଯଦିଓ ବିଜେପି ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କ୍ଷମତାକୁ ବଜାୟ ରଖିପାରିଛି ତଥାପି ଦଳର ପ୍ରଦର୍ଶନ ନିମ୍ନଗାମୀ ହୋଇଛି । ଦେଶର ସର୍ବବୃହତ ସଂସଦୀୟ କ୍ଷେତ୍ର ଉତ୍ତରପ୍ରଦେଶରେ ଦଳ ମାତ୍ର ୩୩ଟି ଆସନରେ ଜିତିଛି । ଗତ ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ଦଳ ଏକାକୀ ବହୁମତରୁ ଅଧିକ ଆସନରେ ଜିତିଥିବା ବେଳେ ଏଥର ଦଳ ମାତ୍ର ୨୪୦ଟି ଆସନରେ ଅଟକି ଯାଇଥିଲା । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁପିର ବାରାଣସୀ ଆସନରୁ ପୂର୍ବାପେକ୍ଷା କମ୍ ଭୋଟରେ ବିଜୟ ଲାଭ କରିବା ଦଳ ପାଇଁ ଏକ ବଡ଼ ସତର୍କ ସୂଚନା ।

ମହାରାଷ୍ଟ୍ର ଓ ହରିୟାଣାରେ ବିଜେପି ମେଣ୍ଟ ସରକାରର ଅଂଶୀଦାର ରହିଥିବା ବେଳେ କେବଳ ଝାଡ଼ଖଣ୍ଡରେ ଜେଏମମ ଓ କଂଗ୍ରେସ ମେଣ୍ଟ ସରକାର ରହିଛି । ତେଣୁ ଆଗାମୀ ନିର୍ବାଚନରେ କେଉଁ ରାଜ୍ୟର ଜନତା କେଉଁ ଦଳକୁ ଚୟନ କରିବେ ତାହା ଏକ ବଡ଼ ପ୍ରଶ୍ନ । ଯଦି ହରିୟାଣା କି ମହାରାଷ୍ଟ୍ରରେ ବିଜେପି ସରକାର ଗଢ଼ିବାରୁ ବଞ୍ଚିତ ହୁଏ, ତେବେ ଦେଶରେ ମୋଦୀ ଲହରକୁ ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହେବ । ଦଳ ୟୁପିରେ ଖରାପ ପ୍ରଦର୍ଶନ କରିଥିଲେ ହେଁ ମେଣ୍ଟ କରି କ୍ଷମତାକୁ ବଜାୟ ରଖିଥିବାରୁ ଦଳର ଦୁର୍ବଳତା ଅଳ୍ପକେ ଲୁଚି ଯାଇଛି । ତେଣୁ ଅକ୍ଟୋବର ଓ ଡିସେମ୍ବର ମାସରେ ହେବାକୁ ଥିବା ଏହି ୩ଟି ରାଜ୍ୟର ନିର୍ବାଚନରେ ଅସଲ ପରୀକ୍ଷା ହେବ ।

ଗତ ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ ବିଜେପି କମ୍ ସିଟ୍ ଅକ୍ତିଆର କରିବା, ବିରୋଧୀ କଂଗ୍ରେସ ଗତ ଥର ଅପେକ୍ଷା ପାଖାପାଖି ଦୁଇଗୁଣ ସିଟ ହାସଲ କରିବା ଏବେ ବିଜେପିକୁ ଚିନ୍ତାରେ ପକାଇଛି । ଅପରପକ୍ଷେ ପାଖାପାଖି ଏକ ଦଶନ୍ଧି ଧରି ସୁପ୍ତ ଅବସ୍ଥାରେ ରହିଥିବା କଂଗ୍ରେସ ଏବେ ପୁଣି ତା’ର ଶକ୍ତି ଫେରିପାଇଛି । ସେହିପରି ଏହି ତିନି ରାଜ୍ୟର ନିର୍ବାଚନ ପରେ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ହେବ । ତେଣୁ ଏପରି ସ୍ଥିତିରେ ଭାଜପାକୁ ଦେଖି ଚାହିଁ ଗୋଟି ଚାଳନା କରିବାକୁ ପଡ଼ିବ । କାରଣ ଦଳର ଦୁର୍ବଳ ପ୍ରଦର୍ଶନ ବ୍ରାଣ୍ଡ ମୋଦୀ ଉପରେ ପ୍ରଭାବ ପକାଇବାର ଆଶଙ୍କା ରହିଛି । କ’ଣ ପାଇଁ ଦଳ ଏଥର କମ୍ ସିଟ ହାସଲ କଲା ସେନେଇ ମୋଦୀ-ଶାହ ଯୋଡ଼ି ସମୀକ୍ଷା କରି ଆଗାମୀ ଦିନରେ ତାହାକୁ ସୁଧାରିବାକୁ ନିଶ୍ଚିତ ପ୍ରୟାସ କରିବେ ।

Get real time updates directly on you device, subscribe now.