ୟୁପିରେ ହିତାଧିକାରୀ ୩୩% ମାଗଣା ରାସନରୁ ବଞ୍ଚିତ, ୨୮.୪୨% ଅଧା ରାସ୍ତାରୁ ହେଉଛି ଗାଏବ, ରିପୋର୍ଟରୁ ଖୁଲାସା

ନୂଆଦିଲ୍ଲୀ: ଭାରତୀୟ ଖାଦ୍ୟ ନିଗମ(FCI) ଦ୍ୱାରା ରାଜ୍ୟଗୁଡ଼ିକ ପାଇଁ ପଠାଯାଇଥିବା ମୋଟ୍ ରାସନ ମଧ୍ୟରୁ ୨୮% କେବେବି ଉପଯୁକ୍ତ ହିତାଧିକାରୀଙ୍କ ନିକଟରେ ପହଂଚିପାରିନାହିଁ । ଇକୋନୋମି ଥିଙ୍କ୍ ଟ୍ୟାଙ୍କର ଏକ ଅନୁସନ୍ଧାନ ପତ୍ରରେ ଏହା ଦାବି କରାଯାଇଛି । ଏଥିରେ ଉଲ୍ଲେଖ ରହିଛି କି ଦେଶରେ ପ୍ରାୟ ୬୯ ହଜାର କୋଟି ଟଙ୍କାର କ୍ଷତି ହୋଇଛି । ବିଶେଷକରି ଉତ୍ତରପ୍ରଦେଶ ରାଜ୍ୟରେ ହିତାଧିକାରୀଙ୍କ ନିକଟକୁ ପ୍ରାୟ ୩୩ ପ୍ରତିଶତ ରାସନ ପହଂଚିପାରିନାହିଁ ।

ଏକ ରିପୋର୍ଟରୁ ପ୍ରକାଶ କି ଭାରତରେ ହିତାଧିକାରୀଙ୍କ ନିକଟରେ ଚାଉଳ ପହଂଚି ପାରିନଥିବାରେ ଉତ୍ତରପ୍ରଦେଶ ଶୀର୍ଷରେ ରହିଛି । ରାଜ୍ୟରେ ୨୮.୪୨ ପ୍ରତିଶତ ଚାଉଳ ଉପଯୁକ୍ତ ହିତାଧିକାରୀଙ୍କ ନିକଟକୁ ପହଂଚିପାରିନାହିଁ । ୨୦୧୯ ପୂର୍ବରୁ ଦଶ ମାସରେ ପିଡିଏସ୍ ସହ ଜଡ଼ିତ ଭ୍ରଷ୍ଟାଚାରର ମୋଟ୍ ମାମଲା ମଧ୍ୟରୁ ଅଧାରୁ ଅଧିକ ଉତ୍ତର ପ୍ରଦେଶ ଏବଂ ବିହାରରୁ ଥିଲା । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ମହାରାଷ୍ଟ୍ରରେ ରାସନ ଖୋଲା ବଜାରକୁ ପଠାଇଦିଆଯାଏ । ତତ୍କାଳୀନ ଉପଭୋକ୍ତା ମାମଲା, ଖାଦ୍ୟ ଏବଂ ଜନ ବଣ୍ଟନ ରାଜ୍ୟ ମନ୍ତ୍ରୀ ଦାନବେ ରାଓ ସାହେବ ଦାଦାରାଓ ଦ୍ୱାରା ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ ଦିଆଯାଇଥିବା ସୂଚନା ଆଧାରରେ ଗବେଷଣା ପତ୍ରରେ ଏହି ଦାବି କରାଯାଇଛି । ସେହି ସମୟରେ ପିଡିଏସ୍ ସହ ଜଡ଼ିତ ଭ୍ରଷ୍ଟାଚାରର ୮୦୭ ମାମଲା ମଧ୍ୟରୁ ୩୨୮ ମାମଲା ୟୁପିରୁ ଥିଲା । ୨୦୧୬ରେ ରାସନ ଦୋକାନରେ ପଏଣ୍ଟ ଅଫ୍ ସେଲ ମେଶିନ୍ ଆରମ୍ଭ କରାଯାଇଥିଲା ଯାହା ସ୍ଥିତିକୁ ସମ୍ଭାଳିଥିଲା । କିନ୍ତୁ ବର୍ତ୍ତମାନ ସ୍ଥିତି ଠିକ୍ ନାହିଁ ।