fbpx

ତୃତୀୟ ତରଙ୍ଗ ନିକଟତର, ଜାଣନ୍ତୁ କଣ କହୁଛନ୍ତି ବରିଷ୍ଠ ସାମ୍ବାଦିକ

ଓଡ଼ିଶା ଭାସ୍କର ବ୍ୟୁରୋ: କରୋନା ମହାମାରୀର ତୃତୀୟ ଲହରକୁ ନେଇ ସମଗ୍ର ବିଶ୍ୱରେ ଏବେ ଆତଙ୍କ ସୃଷ୍ଟି ହୋଇଛି । କରୋନାର ତୃତୀୟ ଲହର ଆରମ୍ଭ ହୋଇଯାଇଥିବା କଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ‘ହୁ’ର ମୁଖ୍ୟ ଟେଡ୍ରୋସ୍ ଆଡ୍ରନୋମ ଘେବ୍ରେୟେସସ୍ ସୂଚନା ଦେଇସାରିଛନ୍ତି । ଦ୍ୱିତୀୟ ଲହରର ଦୁଃଖ ନଯାଉଣୁ ତୃତୀୟ ଲହର ବେଳେ ଡେଲଟା ଭାରିଆଣ୍ଟ ଅଧିକ ବିପଦ ଆଣୁଥିବାରୁ ସେ ବିଶ୍ୱବାସୀଙ୍କ ଚେତାବନୀ ଦେଇଛନ୍ତି । ଏନେଇ ବରିଷ୍ଠ ସମ୍ବାଦିକ ଭାସ୍କର ପରିଚ୍ଛା ଗୁରୁତ୍ୱପୂର୍ଣ୍ଣ ମତ ଦେଇଛନ୍ତି ।

ଶ୍ରୀ ପରିଚ୍ଛା କହିଛନ୍ତି ଯେ, ‘ହୁ’ର କହିବା ଅନୁଯାୟୀ ୧୧୧ଦେଶରେ ଏବେ କରୋନାର ଡେଲଟା ଭାରିଆଣ୍ଟ ଲୋକଙ୍କୁ ସଂକ୍ରମିତ କରିସାରିଲାଣି । ଯଦି ଏବେଠୁ ସତର୍କ ନହେବା ତେବେ ଏହା ପୂର୍ବ ଭାରିଆଣ୍ଟ ଭଳି ସାରା ବିଶ୍ୱରେ ତାଣ୍ଡବ ରଚିବ ବୋଲି ସତର୍କ କରିଛି ସଂସ୍ଥା । ବର୍ତ୍ତମାନ କିଛି ଦେଶରେ ସଂକ୍ରମଣ କମ ରହିଥିବା ବେଳେ ଲୋକେ କରୋନା କଟକଣା ମାନୁନାହାନ୍ତି । ଏହା ଡେଲଟା ଭାରିଆଣ୍ଟର ସଂକ୍ରମଣ ବୃଦ୍ଧି ପଛରେ ମୁଖ୍ୟ କାରଣ ହୋଇଛି ବୋଲି କହିଛନ୍ତି ‘ହୁ’ର ମୁଖ୍ୟ । ଏହା ଫଳରେ ଅଧିକରୁ ଅଧିକ ଲୋକ ସଂକ୍ରମିତ ହେବେ ଏବଂ ମୃତ୍ୟୁମୁଖରେ ପଡ଼ିବେ ଏହା କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ଭାରତରେ ମଧ୍ୟ କରୋନାର ତୃତୀୟ ଲହର ଆରମ୍ଭ ହୋଇଯାଇଥିବା କଥା ଆଶଙ୍କା କରାଯାଉଛି । ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ପକ୍ଷରୁ ଏନେଇ କେନ୍ଦ୍ର ସରକାରଙ୍କ ସମେତ ରାଜ୍ୟଗୁଡ଼ିକୁ ସତର୍କ କରାଇ ଦିଆଯାଇଛି । ଅଗଷ୍ଟ ଶେଷ ସୁଦ୍ଧା ତୃତୀୟ ଲହର ମାଡ଼ି ଆସିବ ବୋଲି କୁହାଯାଉଛି । ଗତ କିଛି ଦିନ ହେଲା ଦେଶରେ ସଂକ୍ରମଣ ୪୦ ହଜାର ତଳକୁ ରହୁଥିବା ବେଳେ ଏବେ ଏହା ୪୦ହଜାର ଟପିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୫୮୧ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି । ଏଥିରୁ ସ୍ପଷ୍ଟ ଯେ, ଲକଡାଉନ ଖୋଲିବା ପରେ ଭୂତାଣୁ ପୁଣି ତାର କାୟା ବିସ୍ତାର କରିବା ଆରମ୍ଭ କରିଛି । ଅଗଷ୍ଟ ଶେଷ ସୁଦ୍ଧା ଦେଶରେ କରୋନାର ତୃତୀୟ ଲହର ଆସିପାରେ । ତେବେ ଦ୍ୱିତୀୟ ଲହର ପରି ଏହା ଘାତକ ହେବନାହିଁ ଏବଂ ଏହାର ପ୍ରଭାବ ଯଥେଷ୍ଟ କମ୍ ରହିବ ବୋଲି କହିଛନ୍ତି ଆଇସିଏମ୍ଆରର ବିଶେଷଜ୍ଞ ଡାକ୍ତର ସମୀରଣ ପଣ୍ଡା । ସମୀରଣଙ୍କ କହିବା ଅନୁଯାୟୀ ତୃତୀୟ ଲହର ଆସିବାର କିଛି ପ୍ରମୁଖ କାରଣ ରହିଛି । ପ୍ରଥମ ଏବଂ ଦ୍ୱିତୀୟ ଲହର ସମୟରେ ଶରୀରରେ ଯେଉଁ ରୋଗ ପ୍ରତିରୋଧକ ଶକ୍ତି ଅଛି ଯଦି ତାହା କମିଯାଏ ତେବେ ଏହା ତୃତୀୟ ଲହରର କାରଣ ହେବ ।

ମହାମାରୀ କରୋନାର ସମ୍ଭାବ୍ୟ ତୃତୀୟ ୱେଭ ଦେଶରେ ବ୍ୟାପିବା ପୂର୍ବରୁ ଏହାକୁ ରୋକିବାକୁ ପଡ଼ିବ ଏବଂ ଏଥିପାଇଁ ରାଜ୍ୟ ସରକାର ଗୁଡ଼ିକ ୪-ଟି ଉପରେ କାମ କରିବା ଦରକାର ବୋଲି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କହିଛନ୍ତି । ଟ୍ରାକ୍, ଟ୍ରିକ୍, ଟିକା, ଟେଷ୍ଟ… ଏହି ୪ଟି କୁ ପ୍ରାଧ୍ୟାନ ଦେବା ଦରକାର ବୋଲି ମୋଦିଜୀ ଆହ୍ୱାନ ଦେଇଛନ୍ତି । ତେଣୁ ଆମେ ସମସ୍ତେ କୋଭିଡ୍ ନିୟମ ଓ ସରକାରଙ୍କ ପକ୍ଷରୁ ଆବଶ୍ୟକ ଅନୁସାରେ ଦିଆଯାଇଥିବା କଟକଣା ମାନିବାକୁ ହିଁ ପଡ଼ିବ ବୋଲି ବରିଷ୍ଠ ସାମ୍ବାଦିକ ଶ୍ରୀ ପରିଚ୍ଛା ମତପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.