fbpx

ଫୋନ୍ ଖୋଜିବା ଲାଗି ୪ ଦିନର ରେସ୍କ୍ୟୁ ଅପରେସନ, ଜଳାଶୟରୁ ଖାଲି କରାଗଲା ୧୫ ଫୁଟ ଉଚ୍ଚତାର ପାଣି

କାଙ୍କେର: ଏ ପର୍ଯ୍ୟନ୍ତ ଆପଣ ଲୋକଙ୍କ ଜୀବନ ରକ୍ଷା ଲାଗି ବହୁ ରେସ୍କ୍ୟୁ ଅପରେସନ କରାଯାଇଥିବା କଥା ଶୁଣିଥିବେ । କିନ୍ତୁ ଛତିଶଗଡ କାଙ୍କେର ଜିଲ୍ଲାର ପଙ୍ଖାଜୁର ଅଞ୍ଚଳରେ ଜଣେ ସରକାରୀ ଅଧିକାରୀଙ୍କ କାରନାମା ବିଷୟରେ ଜାଣିଲେ ଆପଣ ଚକିତ ହୋଇଯିବେ । ପଙ୍ଖାଜୁରର ପରଳକୋଟ ଜଳାଶୟରେ ନିଜର ଏକ ବେଶ୍ ଦାମୀ ଫୋନ୍ ଖୋଜିବା ଲାଗି ଅଧିକାରୀ ଜଣକ ୪ ଦିନ ପର୍ଯ୍ୟନ୍ତ ରେସ୍କ୍ୟୁ ଅପରେସନ ଚଳାଇଥିଲେ । ଏହି ଚକ୍କରରେ ଜଳାଶୟରେ ପ୍ରବାହିତ ୨୧ ଲକ୍ଷ ଲିଟର ପାଣି ନଷ୍ଟ କରି ଦିଆଗଲା । ଏହାପରେ ଯାଇ ଅଧିକାରୀଙ୍କୁ ତାଙ୍କ ମୋବାଇଲ୍ ମିଳିଥିଲା ।

ଫୋନକୁ ପାଣିରୁ ବାହାର କରିବାକୁ ସୋମବାର ଠାରୁ ଅପରେସନ ଆରମ୍ଭ ହୋଇଥିଲା ଯାହା ଗୁରୁବାର ଶେଷ ହୋଇଥିଲା । ଏହି ଅଧିକାରୀଙ୍କ ନାମ ରାଜେଶ ବିଶ୍ୱାସ ବୋଲି କୁହାଯାଉଛି । ସେ କୋଇଲିବେଡା ବ୍ଲକରେ ଫୁଡ୍ ଇନସ୍ପେକ୍ଟର ପଦବୀରେ ଅଛନ୍ତି । କାଙ୍କେର ଠାରୁ ଆରମ୍ଭ କରି ରାଜଧାନୀ ରାୟପୁର ପର୍ଯ୍ୟନ୍ତ ଏହି ଅଧିକାରୀଙ୍କ କତ୍ତ୍ୃତ୍ୱକୁ ନେଇ ଚର୍ଚ୍ଚା ଚାଲିଥାଏ । ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଡା. ରମଣ ସିଂହ ମଧ୍ୟ ଏହି ଅଧିକାରୀଙ୍କ ଏପରି ଆଚରଣକୁ ନେଇ ଟୁଇଟ୍ କରି ଭୂପେଶ ବାଘେଲା ସରକାରଙ୍କୁ ନିଶାନା କରିଛନ୍ତି ।

ସୂଚନା ଅନୁଯାୟୀ ମୋବାଇଲ୍ ଫୋନ୍କୁ ପାଣିରୁ ବାହାର କରିବା ଲାଗି ସୋମବାର ଠାରୁ ଏହି ଅପରେସନ୍ ଆରମ୍ଭ ହୋଇଥିଲା । ଜଳାଶୟରୁ ମୋବାଇଲ୍କୁ ବାହାର କରିବା ଲାଗି ପ୍ରଥମେ ବୁଡାଳୀମାନଙ୍କୁ ନିୟୋଜିତ କରାଯାଇଥିଲା । କିନ୍ତୁ ସେମାନେ ଅସଫଳ ହେବା ପରେ ପମ୍ପ ଲଗାଯାଇ ପାଣି କଢାଯାଇଥିଲା । ୩ ଦିନ ପର୍ଯ୍ୟନ୍ତ ୩୦ ହର୍ସ ପାୱାର ପମ୍ପ ସାହାଯ୍ୟରେ ଜଳାଶୟରୁ ପାଣି ବାହାର କରାଯାଇଥିଲା । ଏ ସହପକରେ ଡା. ରମଣ ସିଂହ ଟୁଇଟ୍ କରି କହିଛନ୍ତି ଆଜି ଭୀଷଣ ଗରମାରେ ଲୋକମାନେ ଟ୍ୟାଙ୍କରଳଭରଷାରେ ପାଣିକୁ ଅନାଇ ରହୁଛନ୍ତି । କିନ୍ତୁ ଅନ୍ୟପଟେ ସେହି ଅଧିକାରୀ ଜଣକ ନିଜ ମୋବାଇଲ୍ ଲାଗି ୨୧ ଲକ୍ଷ ଲିଟର ପାଣି ଅଯଥା ବୁହାଇଦେଲେ । ଏତେମାତ୍ରାରେ ପାଣିରେ ପ୍ରାୟ ଦେଢ ହଜାର ଏକର ଜମିରେ ଜଳସେଚନ ହୋଇପାରିଥାନ୍ତା ।

ତେବେ ମିଳିଥିବା ଖବରରୁ ଜଣାପଡିଛି କୋଏଲବେଡା ବ୍ଲକ ଫୁଡ୍ ଇନସ୍ପେକ୍ଟର ରାଜେଶ ବିଶ୍ୱାସ ଛୁଟୀ ମନାଇବା ଲାଗ ପରଳକୋଟ ଜଳାଶୟ ବୁଲି ଆସିଥିଲେ । ଜଳାଶୟ ନିକଟରେ ଟହଲ ମାରୁଥିବା ସମୟରେ ତାଙ୍କ ମୋବାଇଲ୍ ପାଣିରେ ଖସି ପଡିଥିଲା । ଏହି ସମୟରେ ଜଳାଶୟରେ ପାଣି ଓଭରଫ୍ଲୋ ହୋଇ ପ୍ରବାହିତ ହେଉଥିଲା । ଜଳାଶୟରେ ୧୫ ଫୁଟ ପର୍ଯ୍ୟନ୍ତ ପାଣି ଭରି ରହିଥିଲା ।

Get real time updates directly on you device, subscribe now.