fbpx

ଦିଲ୍ଲୀ ପ୍ରଦେଶ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ହେବେ କହ୍ନେୟା କୁମାର?

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ସାରା ଦେଶରେ ଏବେ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ବିଭିନ୍ନ ରାଜନୈତିକ ଦଳମାନେ ନିଜ ନିଜର ସଂଗଠନକୁ ସଜାଡ଼ିବା ସହିତ ନୂଆ ନେତାଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରୁଛନ୍ତି । ତେବେ ଜବାହରଲାଲ ନେହରୁ (ଜେଏନୟୁ)ର ପୂର୍ବତନ ଛାତ୍ରନେତା କହ୍ନେୟା କୁମାରଙ୍କୁ କଂଗ୍ରେସ ଏକ ବଡ଼ ଦାୟିତ୍ୱ ଦେବ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା ।

ସୂଚନା ମୁତାବକ, ଖୁବଶୀଘ୍ର କହ୍ନେୟା ଦିଲ୍ଲୀ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳି ପାରନ୍ତି । ପୂର୍ବରୁ ଏନେଇ ମଧ୍ୟ ଖୁବ୍ ଚର୍ଚ୍ଚା ହେଉଥିଲା । ନିକଟରେ ହିମାଚଳ ପ୍ରଦେଶ, କର୍ଣ୍ଣାଟକ ପରି ଦୁଇଟି ରାଜ୍ୟରେ ସରକାର ଗଠନ କରିବା ପରେ କଂଗ୍ରେସର ମନୋବଳ ବହୁମାତ୍ରାରେ ବୃଦ୍ଧି ପାଇଛି । ଏଥିସହିତ ବରିଷ୍ଠ ନେତା ରାହୁଲଙ୍କ ଗାନ୍ଧିଙ୍କ ଲୋକପ୍ରିୟତା ମଧ୍ୟ ବଢ଼ିଚାଲିଥିବା ବେଳେ ଚଳିତ ବର୍ଷ ଶେଷରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି । ତେଣୁ ଦଳ ବିଭିନ୍ନ ରାଜ୍ୟରେ ସଂଗଠନକୁ ମଜବୁତ ନେଇ ପ୍ରୟାସ ଆରମ୍ଭ କରିଦେଇଛି ।

ତେଣୁ ଦିଲ୍ଲୀ ପରି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ କଂଗ୍ରେସ କହ୍ନେୟାଙ୍କ ପରି ଜଣେ ଯୁବ ନେତାଙ୍କୁ ବଡ଼ ଦାୟିତ୍ୱ ଦେବାକୁ ଯୋଜନା କରୁଛି । ତେବେ ଦଳ ପକ୍ଷରୁ ଏ ନେଇ କିଛି ସୂଚନା ଦିଆଯାଇ ନଥିବା ବେଳେ ଏହି ରେସରେ ଆହୁରି କିଛି ନେତାଙ୍କ ନାମ ମଧ୍ୟ ରହିଛି । କଂଗ୍ରେସ ଖୁବଶୀଘ୍ର ଦିଲ୍ଲୀର ନୂଆ ଅଧ୍ୟକ୍ଷଙ୍କ ନାମ ଘୋଷଣା କରିପାରେ । ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟି (ଡିପିସିସି)ର ବର୍ତ୍ତମାନର ଅଧ୍ୟକ୍ଷ ଅନିଲ ଚୌଧରୀଙ୍କ ୩ ବର୍ଷିଆ କାର୍ଯ୍ୟକାଳ ଗତ ମାର୍ଚ୍ଚ ମାସରୁ ସମାପ୍ତ ହୋଇଯାଇଛି । ତେବେ ଡିପିସିସିର ପୂର୍ବତନ ଅଧ୍ୟକ୍ଷ ଲଭଲି ଓ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଶୀଲା ଦୀକ୍ଷିତଙ୍କର ପୁଅ ସନ୍ଦୀପ ଦୀକ୍ଷିତ ମଧ୍ୟ ଏହି ପଦ ପାଇଁ ପ୍ରବଳ ଦାବିଦାର ରହିଛନ୍ତି ।

Get real time updates directly on you device, subscribe now.