ଅଶୁଭ ଶନିବାର! ସିରିଜ ଦୁର୍ଘଟଣାରେ ଚାଲିଗଲା 4 ଜୀବନ

ଭୁବନେଶ୍ବର: ସକାଳୁ ସକାଳୁ ଭୟଙ୍କର ସଡକ ଦୁର୍ଘଟଣା । ଅକାଳରେ ଚାଲିଗଲା 4 ମୂଲ୍ୟବାନ ଜୀବନ । ସିରିଜ ଦୁର୍ଘଟଣାରେ 4ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3ଜଣ ଗୁରୁତର ହୋଇଛନ୍ତି । ବାରିପଦା ତିରିଂ ଥାନା ବଡ଼ଡ଼ାଳିମା ଛକ ଏବଂ ବହଳଦା ଥାନା ବାଗଡେଗାରେ ଏହି ସିରିଜ ଦୁର୍ଘଟଣା ହୋଇଥିବା ସୂଚନା ରହିଛି । ଗୋଟିଏ ଟ୍ରକ୍‌ ଦୁଇଟି ପୃଥକ୍‌ ସ୍ଥାନରେ ଦୁର୍ଘଟଣା ଘଟାଇବାରୁ ୪ଜଣ ପ୍ରାଣ ହରାଇଛନ୍ତି ।

ତିରିଂରେ ୩ ଜଣଙ୍କୁ ଟ୍ରକଟି ଧକ୍କା ଦେବା କାରଣରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 3ଜଣ ଆହତ ହୋଇଥିଲେ । ଏହାପରେ ଟ୍ରକଟି ଉକ୍ତ ସ୍ଥାନରୁ ଫେରାର ହୋଇଯାଇଥିବା ବେଳେ 15 କିଲୋମିଟର ଦୂରରେ ପୁଣି ଦୁର୍ଘଟଣା ଘଟାଇଥିଲା ।  ୧୫ କିମି ଯିବା ପରେ ବାଗଡେଗାରେ ପୁଣି ଏକ ଅଟୋକୁ ପିଟିଥିଲା ସେହି ଟ୍ରକ୍ । ଅଟୋରେ ଥିବା ଦମ୍ପତି ସମେତ ଅଟୋ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ । ତେବେ ଏହି ସିରିଜ ଦୁର୍ଘଟଣା ଘଟାଇବା ପରେ ଟ୍ରକଟି ରାସ୍ତା ତଳକୁ ଖସିପଡିଥିଲା । ଫଳରେ ଲୋକେ କାବୁ କରି ପୋଲିସକୁ ଖବର ଦେଇଛନ୍ତି । ତେବେ ଡ୍ରାଇଭର ଜଣକ ନିଶାସକ୍ତ ରହିଥିଲା କି ସେନେଇ ସ୍ପଷ୍ଟ ସୂଚନା ମିଳିପାରିନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।