fbpx

ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚରେ ବଡ଼ ରେକର୍ଡ: ୪.୩ କୋଟି ଦର୍ଶକ ଏକସଙ୍ଗେ ମୋବାଇଲରେ ଦେଖୁଥିଲେ ମ୍ୟାଚ

ନୂଆଦିଲ୍ଲୀ: ଆଜି ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୪ ୱିକେଟରେ ବିଜୟ ହାସଲ କରିବା ସହିତ ପଏଣ୍ଟ ଟେବୁଲରେ ଟପରେ ପହଞ୍ଚି ଯାଇଛି । ପୁଣି ଥରେ ବିରାଟ କୋହଲିଙ୍କ ରାଜୁତି ଦେଖିବାକୁ ମିଳିଛି । ବିରାଟଙ୍କ ୯୫ ରନର ପାଳି ହିଁ ଭାରତକୁ ଏହି ବିଜୟ ଦେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୨୭୪ ରନର ଟାର୍ଗେଟ ଦେଇଥିବା ବେଳେ ଭାରତ ୧୨୮ ରନରେ ୩ଟି ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା ।

ତେବେ ବିରାଟ ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିବା ବେଳେ ଏହି ମ୍ୟାଚରେ ଏକ ବଡ଼ ରେକର୍ଡ ସ୍ଥାପିତ ହୋଇଛି । ଭାରତ-ନ୍ୟୁଜିଲାଣ୍ଡର ଏହି ମୁକାବିଲା ଭାରତ-ପାକିସ୍ତାନଠାରୁ ମଧ୍ୟ ବଳି ଯାଇଛି । ଗତ ୧୪ ତାରିଖରେ ଭାରତ-ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହୋଇଥିବା ମ୍ୟାଚକୁ ୩.୫ କୋଟି ଦର୍ଶକ ଦେଖୁଥିବା ବେଳେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚକୁ ଏକସଙ୍ଗେ ୪.୩ କୋଟି ଦର୍ଶକ ମୋବାଇଲରେ ଦେଖୁଥିଲେ । କୌଣସି କ୍ରୀଡ଼ାକୁ ଅନଲାଇନରେ ସର୍ବାଧିକ ଦର୍ଶକ ଦେଖିବା କ୍ଷେତ୍ରରେ ଏହି ମ୍ୟାଚ ବିଶ୍ୱରେକର୍ଡ କରିଛି ।

ଗତ ଏସିଆ କପରେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ସୁପର-୪ ମୁକାବିଲାକୁ ୨.୮ କୋଟି ଲୋକ ଲାଇଭ୍ ଦେଖିଥିଲେ । ସେ ସମୟରେ ତାହା ଅନେକ ପୁରୁଣା ରେକର୍ଡ ଭାଙ୍ଗିଥିଲା । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶହ ସେ ବାବଦରେ ସୂଚନା ଦେଇଥିଲେ । ଚଳିତ ବିଶ୍ୱକପରେ ଭାରତ-ଅଷ୍ଟ୍ରେଲିଆ ମ୍ୟାଚକୁ ୨.୫ କୋଟି ଲୋକ ଲାଇଭ୍ ଦେଖିଥିବା ବେଳେ ୨୦୧୯ ବିଶ୍ୱକପରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚକୁ ୨.୫୨ କୋଟି ଲୋକ ଦେଖିଥିଲେ ।

Get real time updates directly on you device, subscribe now.