fbpx

ସରକାରଙ୍କ ଅବହେଳା ପାଇଁ ୪୦ ଲକ୍ଷ ଲୋକେ କରୋନାରେ ମୃତ୍ୟୁ ବରଣ କରିଛନ୍ତି- ରାହୁଲ ଗାନ୍ଧୀ

କରୋନା ମହାମାରୀ ସମୟରେ ସରକାରଙ୍କ ଅବହେଳା ପାଇଁ ଦେଶରେ ୪୦ ଲକ୍ଷ ଲୋକଙ୍କ ପ୍ରାଣ ହରାଇଛନ୍ତି । ଏଥି ପାଇଁ ସରକାର ପ୍ରତି ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରନ୍ତୁ ବୋଲି ରାହୁଲ ଗାନ୍ଧୀ ପୁଣି ଦାବି କରିଛନ୍ତି । ଏକ ରିପୋର୍ଟ ମୁତାବକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦାବି କରିଛି ଯେ ବୈଶ୍ୱୟିକ କରୋନା ମୃତ୍ୟୁ ତାଲିକା ପ୍ରକାଶ କରିବା ଦିଗରେ ଭାରତ ବାଧା ସୃଷ୍ଟି କରୁଛି । ଏହାକୁ ନେଇ ଉଭୟ କଂଗ୍ରେସ ଏବଂ ଟିଏମସି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ରାହୁଲ ଗାନ୍ଧୀ ଏକ ଟ୍ୱିଟ୍ କରି କହିଛନ୍ତି ଯେ, ସରକାରଙ୍କ “ଦାୟିତ୍ୱ ହୀନତା’ କାରଣରୁ କରୋନା ମହାମାରୀ ସମୟରେ ୪୦ ଲକ୍ଷ ଭାରତୀୟଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ଟିଏମସି ସାଂସଦ ମହୁଆ ମୈତ୍ରା କହିଛନ୍ତି ଯେ ମୃତ୍ୟୁ ସଂଖ୍ୟାକୁ ସାମ୍ନା କରିବା ଜରୁରୀ । ସେ ଏହା ମଧ୍ୟ କହିଛନ୍ତି ଯେ ଏଥିରୁ ବଞ୍ଚିବା ପାଇଁ ସରକାର ୫୬ ଇଞ୍ଚର ମାସ୍କା ଲଗାଇ ପାରିବେ ନାହିଁ ।

ଆମେରିକୀୟ ଖବର କାଗଜ “ଦି ନିଉ ୟର୍କ ଟାଇମ୍ସ’ ରିପୋର୍ଟ କରିଥିଲା ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ପ୍ରକାଶ କରିବାକୁ ଚାହୁଁଥିଲା ବେଳେ ଭାରତ ସରକାର ଏଥିରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି । ପରେ ସରକାର ଏହା ଖଣ୍ଡନ କରିଥିଲେ । ସରକାରଙ୍କ ପକ୍ଷରୁ ଶନିବାର କୁହାଯାଇଥିଲା ଯେ ଭାରତ ଭଳି ଏତେ ବଡ଼ ଭୌଗଳିକ ଆକାର ଏବଂ ଜନସଂଖ୍ୟା ଦେଶରେ ଏହି ଗାଣିତିକ ପ୍ରକ୍ରିୟାରେ ମୃତ୍ୟୁ ସଂଖ୍ୟା ଆକଳନ କରିବା ପାଇଁ ଏହିପରି ଗାଣିତିକ ମଡେଲ ବ୍ୟବହାର କରାଯାଇପାରିବ ନାହିଁ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମାନ ମୁତାବିକ ୨୦୨୧ ଶେଷ ବେଳକୁ ବିଶ୍ୱରେ କରୋନାରେ ୧୫୦ ଲକ୍ଷ ଲୋକେ ମୃତ୍ୟୁ ବରଣ କରିଥିଲେ । ତେବେ ଏଥିରେ ଧ୍ୟାନ ଦେଲା ଭଳି ଖବର ହେଉଛି ଯେ, ବିଭିନ୍ନ ଦେଶର ମୃତ୍ୟୁ ସଂଖ୍ୟା ଭିନ୍ନ ଭିନ୍ନ ଭାବରେ ଦର୍ଶାଯାଇଥିଲା, ଏବଂ ଏହା ସରକାରୀ ତଥ୍ୟଠାରୁ ଦୁଇଗୁଣା ଅଧିକ ଥିଲା । ଏହି ରିପୋର୍ଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦାବି ମୁତାବକ ଭାରତରେ କରୋନା ମହାମାରୀ ସମୟରେ ପ୍ରାୟ ୪୦ ଲକ୍ଷ ଲୋକେ ମୃତ୍ୟୁ ବରଣ କରିଥିଲେ । ଯାହା ସରକାରୀ ତଥ୍ୟଠାରୁ ଆଠଗୁଣା ଅଧିକ । ଯାହାକୁ ନେଇ ଏବେ ବିରୋଧୀ ସରକାରଙ୍କୁ ଘେରିବାକୁ ଚେଷ୍ଟା କରୁଛନ୍ତି ।

Get real time updates directly on you device, subscribe now.