ରାଜ୍ୟରେ ଖାଲିପଡିଛି ୪୭ ଡ୍ରଗ୍‌ସ ଇନ୍ସପେକ୍ଟର ପଦବୀ, କୋର୍ଟରେ ଚାଲିଛି ମାମଲା, ବଢୁଛି ନକଲି ଔଷଧ କାରବାର

ଭୁବନେଶ୍ୱର : ଓଡ଼ିଶାରେ ଔଷଧ କାରବାର ଉପରେ ନିୟନ୍ତ୍ରଣ ଏବଂ ନକଲି ଔଷଧ ଧରପଗଡ଼ ବାଧାପ୍ରାପ୍ତ ହୋଇଛି । କାରଣ ନିର୍ଦ୍ଦେଶାଳୟରେ ୨ ବର୍ଷ ହେଲାଣି ଖାଲି ପଡ଼ିଛି ୪୭ ଡ୍ରଗ୍ସ ଇନ୍ସପେକ୍ଟର ପଦବି । ରାଜ୍ୟରେ ବର୍ଷକୁ ପ୍ରାୟ ୫ହଜାର କୋଟି ଟଙ୍କାର ଔଷଧ କାରବାର ହେଉଥିଲା ବେଳେ ୩୧ହଜାର ପାଖାପାଖି ଔଷଧ ଦୋକାନ ରହିଛି । ଏଭଳି ସ୍ଥିତିରେ ଆବଶ୍ୟକ ସଂଖ୍ୟକ ଡ୍ରଗ୍ସ ଇନ୍ସପେକ୍ଟର ପଦବି ନଥିବାରୁ ନକଲି ଔଷଧ କାରବାର ବଢ଼ୁଥିବା ଦେଖାଯାଉଛି ।

ନିର୍ଦ୍ଦେଶାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ୪୭ଟି ଡିଆଇ ପଦବିରେ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଥିଲା। ହେଲେ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ନେଇ ପରୀକ୍ଷାର୍ଥୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟରେ ଏହା ବିଚାରାଧୀନ ରହିଛି । ଫଳରେ ନିଯୁକ୍ତି ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ପୁଣି ଥରେ ପରୀକ୍ଷା ହେବା ନେଇ ସୂଚନା ମିଳିଛି ।

ନିର୍ଦ୍ଦେଶାଳୟରେ ୬୬ଟି ଡ୍ରଗ୍ସ ଇନ୍ସପେକ୍ଟର (ଡିଆଇ) ପଦବି ମଧ୍ୟରୁ ୪୭ ପଦବି ଖାଲି ପଡ଼ିଛି । ୧୯ଟି ପଦବିରେ ବର୍ତ୍ତମାନ ଆସିଷ୍ଟାଣ୍ଟ ଡ୍ରଗସ୍ କଣ୍ଟ୍ରୋଲରମାନେ ଯୁଗ୍ମ ଦାୟିତ୍ୱ ତୁଲାଉଥିବାରୁ ସେମାନେ ଚାପଗ୍ରସ୍ତ ରହୁଥିବା ଅଭିଯୋଗ ହୋଇଛି । ଫଳରେ ନକଲି ଔଷଧ କାରବାର ସହିତ ବେଆଇନ କାର୍ଯ୍ୟ ଉପରେ ନଜର ରଖିବାରେ ବାଧା ସୃଷ୍ଟି ହେଉଛି । ଗତବର୍ଷ ୧୦ କୋଟିର ନକଲି ଔଷଧ ଧରାପଡ଼ିଥିଲାବେଳେ ୧୦ଜଣଙ୍କୁ ଗିରଫ କରାଯାଇଥିଲା । ହେଲେ ବର୍ଷେ ହେଲାଣି ରାଜ୍ୟରେ ନକଲି ଔଷଧ କାରବାର ଧରପଗଡ଼ ନେଇ କିଛି ପଦକ୍ଷେପ ନିଆଯାଇନାହିଁ ।