fbpx

ସେଣ୍ଟ୍ରାଲ ତୁର୍କୀରେ ୫.୫ ତୀବ୍ରତାର ଭୂକମ୍ପ: ଗତ ୬୬ ଘଣ୍ଟା ମଧ୍ୟରେ ୩୭ ଥର କମ୍ପନ- ରିପୋର୍ଟ

Advertisement

ନୂଆଦିଲ୍ଲୀ: ଭୟଙ୍କର ଭୂକମ୍ପରେ ତୁର୍କୀରେ ହଜାର ହଜାର ଲୋକଙ୍କର ମୃତ୍ୟୁ ଘଟିବା ସହ ହଜାର ହଜାର ଲୋକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏଥିସହିତ ଲକ୍ଷ ଲକ୍ଷ ବାସଗୃହ ଭୁଶୁଡ଼ି ମାଟିରେ ମିଶି ଯାଇଛି । ତେବେ ଏହା ମଧ୍ୟରେ କେନ୍ଦ୍ରୀୟ ତୁର୍କୀରୁ ପୁଣି ଏକ ବଡ଼ ଖବର ଆସିଛି । ଗତ ୬୬ ଘଣ୍ଟା ମଧ୍ୟରେ ୩୭ ଥର ଭୂକମ୍ପ କମ୍ପନ ଦେଖିବାକୁ ମିଳିଛି । ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ ସେଣ୍ଟର (ଇଏମଏସସି) ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି ।

ଇଏମଏସସି ରିପୋର୍ଟ ମୁତାବକ, ସେଣ୍ଟ୍ରାଲ ତୁର୍କୀରେ ଆଜି ରିକ୍ଟର ସ୍କେଲରେ ୫.୫ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଛି । ତେବେ ଏହି ଭୂକମ୍ପ ୧୦ କିଲୋମିଟର ଗଭୀରରେ ଘଟିଥିବା ରିୟୁଟର୍ସ ନ୍ୟୁଜ ଏଜେନ୍ସି ପକ୍ଷରୁ କୁହାଯାଇଛି । ଗତ ୬୬ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ତୁର୍କୀରେ ୩୭ ଥର ଭୂକମ୍ପ ଅନୁଭୂତ ହୋଇଥିବା ଇଏମଏସସି ତଥ୍ୟରୁ ଜଣାପଡ଼ିଛି ।

ନିକଟରେ ତୁର୍କୀରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇ ଦେଶର ସୀମାନ୍ତବର୍ତ୍ତୀ ଅଞ୍ଚଳ ଧ୍ୱସ୍ତବିଧ୍ୱସ୍ତ ହୋଇଥିଲା । ସେହି ଭୂକମ୍ପ ତାଣ୍ଡବରେ ୫୦ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିବା ସହ ହଜାର ହଜାର ଘର ମାଟିରେ ମିଶିଯାଇଥିଲା । ଏହାର ଏକ ସପ୍ତାହ ପରେ ଆଜି ପୁଣି ଥରେ ଭୂକମ୍ପ ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନ ତୁର୍କୀରେ ଭଙ୍ଗା ଗୃହଗୁଡ଼ିକର ପୁଣି ଥରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି ।

ଫେବୃଆରୀ ୬ରେ ହୋଇଥିବା ଭୟଙ୍କର ଭୂକମ୍ପରେ ତୁର୍କୀରେ ୧.୬ ଲକ୍ଷ ବିଲଡିଂ, ୫.୨ ଲକ୍ଷ ଆପାର୍ଟମେଣ୍ଟ ଭୟଙ୍କର ଭାବେ ଡ୍ୟାମେଜ୍ ହୋଇଯାଇଛି । ଏଥିସହିତ ଏହି ଭୂକମ୍ପରେ ତୁର୍କୀ ଓ ପଡ଼ୋଶୀ ରାଷ୍ଟ୍ର ସିରିଆର ହଜାର ହଜାର ଲୋକଙ୍କର ପ୍ରାଣହାନୀ ଘଟିଛି । ତେବେ ବିପର୍ଯ୍ୟୟ ଓ ଜରୁରୀକାଳୀନ ପରିଚାଳନା ପ୍ରାଧିକରଣ (ଏଏଫଏଡି) ମୁତାବକ, ଗତ ଶୁକ୍ରବାର ରାତି ଶୁଦ୍ଧା ତୁର୍କୀରେ ମୃତ୍ୟୁସଂଖ୍ୟା ୪୪,୨୧୮ରେ ପହଞ୍ଚି ଯାଇଛି । ସେହିପରି ସିରିଆରେ ମୃତ୍ୟୁସଂଖ୍ୟା ୫,୯୧୪ରେ ପହଞ୍ଚି ଯାଇଥିବା ବେଳେ ମୋଟ ମୃତ୍ୟୁସଂଖ୍ୟା ୫୦ ହଜାର ଟପିଯାଇଛି । ତେବେ ଗୋଟିଏ ବର୍ଷ ମଧ୍ୟରେ ଭଗ୍ନ ଗୃହର ମରାମତି କାର୍ଯ୍ୟ ସମାପ୍ତ କରିବେ ବୋଲି ତୁର୍କୀ ରାଷ୍ଟ୍ରପତି ରିସେପ ତାୟିପ ଏର୍ଡୋଗାନ ପ୍ରତିଶ୍ରୁତି ଦେଇଛନ୍ତି ।

Get real time updates directly on you device, subscribe now.