fbpx

ହଟିପାରେ ୫% ଟ୍ୟାକ୍ସ ସ୍ଲାବ୍, ନୂଆ ଦର ନେଇ ବିଚାର କରିବ GST କାଉନସିଲ

ନୂଆଦିଲ୍ଲୀ: ଆସନ୍ତା ମାସରେ ଅନୁଷ୍ଠିତ ହେବ ଜିଏସଟି କାଉନସିଲ ବୈଠକ । ଏହି ବୈଠକରେ ବିଭିନ୍ନ ରାଜ୍ୟମାନେ ଆୟ ବଢାଇବା ପାଇଁ ଦାବି ଉପସ୍ଥାପନ କରିପାରନ୍ତି । ଏହା ଫଳରେ କେନ୍ଦ୍ର ଉପରେ ରାଜ୍ୟ ମାନଙ୍କର ନିର୍ଭଶୀଳତା କମିବ । ବୈଠକରେ ବିଭିନ୍ନ ରାଜ୍ୟମାନଙ୍କର ୫%ଟ୍ୟାକ୍ସ ସ୍ଲାବ୍ ହଟାଇବା ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ । ରାଜ୍ୟମାନଙ୍କର ଆୟ ବଢାଇବା ପାଇଁ କାଉନସିଲ ଏହି ପ୍ରସ୍ତାବ ଉପରେ ମଧ୍ୟ ନିଷ୍ପତ୍ତି ନେଇପାରନ୍ତି । ଦୈନନ୍ଦିନ ଜୀବନରେ ବ୍ୟବହାର ହେଉଥିବା ଜିନିଷ ଉପରେ ୩ % ଟ୍ୟାକ୍ସ ସ୍ଲାବ ପ୍ରସ୍ତୁତ କରିପାରନ୍ତି ।  ସେହିଭଳି ୫% ଟ୍ୟାକ୍ସ ସ୍ଲାବରେ ଆସୁଥିବା ଉତ୍ପାଦକୁ ୮% ଟ୍ୟାକ୍ସ ସ୍ଲାବରେ ସାମିଲ କରାଯାଇପାରେ ।

ସରକାର ଦୁଇଟି ନୂତନ ଟ୍ୟାକ୍ସ ସ୍ଲାବ ମଧ୍ୟ ଲଞ୍ଚ କରିବାର ସମ୍ଭାବନା ରହିଛି । ୩ ଓ ୮ ପ୍ରତିଶତର ଦୁଇଟି ନୂତନ ଟ୍ୟାକ୍ସ ସ୍ଲାବ ଲଞ୍ଚ କରାଯିବ ବୋଲି ଅନୁମାନ କରାଯାଇଛି । ବର୍ତ୍ତମାନ ଜିଏସ୍ଟିରେ ୪ ପ୍ରକାରର ଟ୍ୟାକ୍ସ ସ୍ଲାବ ରହିଛି । ୫, ୧୨, ୧୮ ଓ ୨୮ ପ୍ରତିଶତର ଚାରିଟି ସ୍ଲାବ ବର୍ତ୍ତମାନର ବ୍ୟବସ୍ଥାରେ ରହିଥିବା ବେଳେ ସୁନା ଗହଣା ଉପରେ ୩ ପ୍ରତିଶତର ଟିକସ ବ୍ୟବସ୍ଥା ରଖାଯାଇଛି । ଏହା ସହିତ କିଛି ଅଣ ବ୍ରାଣ୍ଡେଡ୍ ଜିନିଷ ଏବଂ ଅନପ୍ୟାକ୍ ଖାଦ୍ୟ ପଦାର୍ଥ ଉପରେ ଜିଏସ୍ଟି ଲାଗୁ ହେଉନାହିଁ । ତେବେ ଏହି ସବୁ ଉପରେ ଜିଏସଟି ପରିସରଭୁକ୍ତ କରାଯାଇପାରେ ।

ସୂଚନା ଅନୁଯାୟୀ, ୫ ପ୍ରତିଶତର ଟ୍ୟାକ୍ସ ସ୍ଲାବକୁ ୬-୯ ପ୍ରତିଶତ ମଧ୍ୟରେ ରଖିବାକୁ ଯୋଜନା କରାଯାଉଛି । ଏହି ସ୍ଲାବରେ ପ୍ରତି ୧ ପ୍ରତିଶତ ବୃଦ୍ଧିର ଅର୍ଥ ହେଉଛି ବାର୍ଷିକ ଅତିରିକ୍ତ ୫୦ ହଜାର କୋଟିର ରାଜ୍ୟମାନଙ୍କୁ ରାଜସ୍ୱ ଲାଭ । ତେଣୁ ରାଜସ୍ୱ ଆୟ ବଢ଼ିବା ଫଳରେ କେନ୍ଦ୍ର ଉପରେ ରାଜ୍ୟମାନଙ୍କର ନିର୍ଭରଶୀଳତା ସ୍ୱୟଂକ୍ରିୟ ଭାବରେ ହ୍ରାସ ପାଇବ ।

 

Get real time updates directly on you device, subscribe now.