fbpx

କଠୋର ନିଷ୍ପତ୍ତି: ଚୀନ ମାଞ୍ଜା ସୂତା କିଣିଲେ ଓ ବ୍ୟବହାର କଲେ ୫ ବର୍ଷର ଜେଲଦେଣ୍ଡ ଓ ୧ ଲକ୍ଷର ଜରିମାନା

ନୂଆଦିଲ୍ଲୀ: ଚୀନ ଗୁଡ଼ିର ବ୍ୟବହାରକୁ ନେଇ ଆସିଛି ଏକ ବଡ଼ ଖବର । ଚୀନ ଗୁଡ଼ି ବ୍ୟବହାର ନେଇ କୋର୍ଟଙ୍କ ପକ୍ଷରୁ କଠୋର ନିଷ୍ପତ୍ତି ନିଆଯାଇଛି । ଚୀନ ଗୁଡ଼ି ବ୍ୟବହାର କରି ଦୋଷୀ ସାବ୍ୟସ୍ତ ହେଲେ ୫ ବର୍ଷର ଜେଲଦଣ୍ଡ ସହିତ ୧ ଲକ୍ଷ ଟଙ୍କାର ଜରିମାନା ଲାଗୁ ହୋଇପାରେ । ଚୀନ ମାଞ୍ଜା ସୂତାରେ ଗୁଡ଼ି ଉଡ଼ାଇବା ଉପରେ ରୋକ ଲାଗିଥିଲେ ହେଁ ବହୁତ ଲୋକ ଏହାର ବ୍ୟବହାର କରୁଥିବା ଦେଖାଯାଉଛି ।

ତେଣୁ ନିୟମ ଅବମାନନା କରୁଥିବା ଲୋକଙ୍କ ବିରୋଧରେ କଠୋର ଦଣ୍ଡ ବିଧାନ କରାଯିବ ବୋଲି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଚେତାବନୀ ଦେଇଛନ୍ତି । ଚୀନ ମାଞ୍ଜା ସୂତା ବ୍ୟବହାର କଲେ, ବିକ୍ରି କଲେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଚୀନ ମାଞ୍ଜା ସୂତା ବ୍ୟବହାର କଲେ ୫ ବର୍ଷର ଜେଲଦଣ୍ଡ ଓ ୧ ଲକ୍ଷର ଜରିମାନା ଦେବାକୁ ପଡ଼ିବ ବୋଲି ପୂର୍ବରୁ କୋର୍ଟ ନିଷ୍ପତ୍ତି ନେଇଥିଲେ ।

ଶ୍ରୀ ରାୟ କହିଛନ୍ତି, କାଚ ଗୁଣ୍ଡରେ ନିର୍ମିତ ନାଇଲନ ମାଞ୍ଜା ସୂତାର ଉପଯୋଗ ଓ ବିକ୍ରି ନେଇ ୨୦୧୭ ମସିହା ଜାନୁଆରୀ ମାସ ୧୦ ତାରିଖରୁ କଟକଣା ଲାଗୁ କରାଯାଇଥିଲା । ଏହା ପରେ ବି ଅନେକ ଲୋକ କଟକଣାକୁ ଉଲ୍ଲଘନ କରୁଥିବା ଦେଖାଯାଉଛି । ଏହି ମାଞ୍ଜା ସୂତା ଯେ କୌଣସି ସମୟରେ ମଣିଷ ଓ ପଶୁପକ୍ଷୀଙ୍କୁ ଆଘାତ ପହଞ୍ଚାଇପାରେ । ଏନେଇ ଦିଲ୍ଲୀ ପୋଲିସ, ରାଜସ୍ୱ ବିଭାଗ, ଦିଲ୍ଲୀ ନଗର ନିଗମ, ପରିବହନ ବିଭାଗ, ଦିଲ୍ଲୀ ମେଟ୍ରୋ ରେଲ ନିଗମ, ଇକୋ-କ୍ଲବ ସ୍କୁଲ ଓ କଲେଜଗୁଡ଼ିକରେ ଏନେଇ ସଚେତନତା ଜାରି ନେଇ ନିର୍ଦ୍ଦେଶ ଦିଆଯାଇଛି । ସିନ୍ଥେଟିକ ମାଞ୍ଜା ଦ୍ୱାରା ଜଣେ ଯୁବତୀ ଆହତ ହେବାର କିଛି ଦିନ ପରେ ମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦେଇଛନ୍ତି । ଏହି କଟକଣା ଲାଗୁ କରିବା ନେଇ ସମସ୍ତ ବିଭାଗଗୁଡ଼ିକ ପାଇଁ ଏକ ଆଡଭାଇଜରୀ ଜାରି କରାଯାଇଛି । ବିଶେଷ କରି ଅଗଷ୍ଟ ୧୫ ଅବସରରେ ଦିଲ୍ଲୀରେ ଅଧିକ ମାତ୍ରାରେ ଗୁଡ଼ି ଉଡ଼ାଯାଇଥାଏ । ତେଣୁ ଚୀନ ମାଞ୍ଜାର ବ୍ୟବହାର କରିବା ଫଳରେ ପ୍ରତିବର୍ଷ ଅନେକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଥାଏ ।

Get real time updates directly on you device, subscribe now.