ଘାଟିରେ ସାବାଡ୍‌ ହେବେ ଆତଙ୍କବାଦୀ: ଜମ୍ମୁ-କଶ୍ମୀରକୁ ଗଲେ ଅତିରିକ୍ତ ୫୫୦୦ ଯବାନ, ଆତଙ୍କୀଙ୍କୁ ଖୋଜି ଖୋଜି ମାରିବେ…

ନୂଆଦିଲ୍ଲୀ,: ଜମ୍ମୁ- କଶ୍ମୀରରେ ଗତ କିଛିଦିନ ହେବ ପାକିସ୍ତାନ ପ୍ରୟୋଜିତ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ଟାର୍ଗେଟ୍‌ କରିବାରେ ଲାଗିଛି । କଶ୍ମୀର ଘାଟିରେ ଆତଙ୍କୀ କାର୍ଯ୍ୟକଳାପ ବଢ଼ୁଥିବା ଲକ୍ଷ୍ୟ କରି କେନ୍ଦ୍ର ସରକାର ଏହାର ମୁକାବିଲା ତଥା ଆତଙ୍କବାଦୀମାନଙ୍କୁ ସାବାଡ଼୍‌ କରିବାକୁ କଠୋର ରଣନୀତି ଆପଣାଇଛନ୍ତି । ଏବେ ଆଉ ଆତଙ୍କବାଦୀଙ୍କୁ ନିସ୍ତାର ମିଳିବନି । ସେମାନଙ୍କୁ ଦୃଢ଼ ହସ୍ତରେ ଦମନ କରିବା ପାଇଁ ଜମ୍ମୁ-କଶ୍ମୀରକୁ ବିଏସ୍‌ଏଫ୍‌ ଓ ସିଆର୍‌ ପିଏଫ୍‌ର ଅତିରିକ୍ତ ୫୫୦୦ ଯବାନଙ୍କୁ ପଠାଯାଇଛି । ସିଆରପିଏଫର ୩ ହଜାର ଯବାନ ଓ ବିଏସ୍‌ଏଫର ୨୫ଶହ ଜଣ ଯବାନଙ୍କୁ ଜମ୍ମୁ-କଶ୍ମୀର ପଠାଯାଇଛି । ସୀମା ସେପାରିରୁ ଆସୁଥିବା ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବେ ସାହସୀ ଯବାନ । ଜମ୍ମୁ ଓ କଶ୍ମୀରରେ କେନ୍ଦ୍ର ସରକାର ସୈନ୍ୟ ମୁତୟନ ପରିମାଣ ବଢ଼ାଇ ଦେଇଛନ୍ତି ।

କଶ୍ମୀର ‘ଆଇଜିି’ ବିଜୟ କୁମାରଙ୍କ ସୂଚନା ଅନୁସାରେ, ଚଳିତ ବର୍ଷ ପ୍ରାରମ୍ଭରୁ କଶ୍ମୀର ଅଞ୍ଚଳରେ ଆତଙ୍କବାଦୀ ମୁକାବିଲା ଅଭିଯାନରେ ପ୍ରାୟ ୧୩୮ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୩୯ଜଣ ଆତଙ୍କବାବୀ ଓ ସେମାନଙ୍କୁ ସହାୟତା କରୁଥିବା ୭୦୦ରୁ ଅଧିକ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି । କେବଳ କଶ୍ମୀର ନୁହେଁ ଜମ୍ମୁ ଡିଭିଜନରେ ମଧ୍ୟ ଚଳିତ ବର୍ଷ ୮ ଜଣ ଆତଙ୍କୀ ନିହତ ହୋଇଛନ୍ତି ଓ ୧୬ ଜଣଙ୍କୁ ଗିରଫ କରାଯାଇଛି । ପୂର୍ବରୁ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରୁଥିଲେ । ହେଲେ ଏବେ ସାଧାରଣ ଲୋକଙ୍କ ଉପରେ ହମଲା କରୁଛନ୍ତି । ଏହାର ମୁକାବିଲା କରିବା ପାଇଁ ବିଏସ୍‌ଏଫ୍‌ କଶ୍ମୀରରେ ଅତିରିକ୍ତ ୨୫ କମ୍ପାନୀ ଫୋର୍ସ ମୁତୟନ କରିଛି ।

ସେହିପରି ସିଆରପିଏଫ ପକ୍ଷରୁ ମଧ୍ୟ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ୨୫ କମ୍ପାନୀ ଫୋର୍ସ ପଠାଯାଇଛି । ଆସନ୍ତା ସପ୍ତାହକ ମଧ୍ୟରେ ଆଉ ୫ କମ୍ପାନୀ ଫୋର୍ସ କଶ୍ମୀରରେ କାମ ଆରମ୍ଭ କରିବେ । ବିଭିନ୍ନ ଗାଁ ଓ ଆବାସିକ ଅଞ୍ଚଳରେ ଅଧିକରୁ ଅଧିକ ସଂଖ୍ୟକ ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଉଛି । ତେବେ ସବୁ ସ୍ଥାନରେ ଯବାନଙ୍କୁ ମୁତୟନ କରିବା ମଧ୍ୟ ଗୋଟିଏ ଚ୍ୟାଲେଞ୍ଜର ବିଷୟ । ତେଣୁ ଯଥାଶୀଘ୍ର ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଲକ୍ଷ୍ୟ ରଖାଯାଇଛି । ଶ୍ରୀନଗରରେ ଏବେ ପ୍ରତ୍ୟେକ ଦିନ ୧୫୦୦୦ ଲୋକ ଓ ୮୦୦୦ ଗାଡିକୁ ଯାଞ୍ଚ କରାଯାଉଛି । ଏଥିାଇଁ ସିସିଟିଭି ଓ ଡ୍ରୋନର ସହାୟତା ନିଆଯାଉଛି । ଏପରିକି ଯେଉଁଠାରେ ଅଳ୍ପସଂଖ୍ୟକ ଲୋକ ଓ କଶ୍ମୀର ବାହାରର ଲୋକ ରହୁଛନ୍ତି ସେଠାରେ ଏହି ଚେକିଂକୁ ଆହୁରି କଡାକଡି କରାଯାଉଛି ।

ସୂଚନାଯୋଗ୍ୟ, ବିଗତ ଦୁଇ ମାସ ମଧ୍ୟରେ କଶ୍ମୀରରେ ଆତଙ୍କବାଦୀମାନେ ୧୩ରୁ ଅଧିକ ସାଧାରଣ ଲୋକଙ୍କୁ ହତ୍ୟା କରି ସାରିଲେଣି । ବିଶେଷ କରି ବାହାର ରାଜ୍ୟରୁ ଆସିଥିବା ଲୋକମାନେ ହିଁ ସେମାନଙ୍କ ଟାର୍ଗେଟ ରହୁଛନ୍ତି । ତେଣୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ।