fbpx

ବିଦ୍ୟୁତ ଆଘାତ ହେଲା କାଳ, ଏକାବେଳକେ ଆଖି ବୁଜିଲେ ପରିବାରର ୬ ସଦସ୍ୟ

ଭୋପାଳ: ବିଦ୍ୟୁତ ଆଘାତ ହେଲା କାଳ । ନେଇଗଲା ପରିବାରର ୬ ମୁଣ୍ଡ । ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଛତରପୁର ଜିଲ୍ଲାରେ । ଏଠାରେ ରବିବାର ସକାଳେ ବିଦ୍ୟୁତ ଆଘାତ ଲାଗି ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଯାଇଛି । ତେବେ ଘରେ ନିର୍ମିତ ପାଣି ଟାଙ୍କି ସଫା କରୁଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି । ଟାଙ୍କି ସଫା କରୁଥିବା ବେଳେ ସମସ୍ତେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ଯାହା ଫଳରେ ୬ ଜଣଙ୍କର ଜୀବନ ଯାଇଛି ।

ସୂଚନାଯୋଗ୍ୟ ଯେ, ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବିଜାଓ୍ବର ଥାନା ଅନ୍ତର୍ଗତ ମହୁଆ ଝାଲା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଟାଙ୍କି ସଫା କରିବାକୁ ଖୋଲିବାକୁ ଗଲା ବେଳେ ପରିବାରର ଜଣେ ସଦସ୍ୟ ଟାଙ୍କି ଭିତରକୁ ଯାଇଥିଲେ । ତା ଭିତରେ ବିଦ୍ୟୁତ୍ ସଂଯୋଗ ହୋଇଥିବା ବେଳେ ତାଙ୍କୁ ପ୍ରଥମେ ବିଦ୍ୟୁତ ଆଘାତ ଲାଗିଥିଲା । ତାଙ୍କୁ ଉଦ୍ଧାର କରିବା ପାଇଁ ଟାଙ୍କି ମଧ୍ୟରେ ପରିବାରର ଅନ୍ୟଜଣେ ସଦସ୍ୟ ପ୍ରବେଶ କରିଥିଲେ । ତାଙ୍କୁ ମଧ୍ୟ ବିଦ୍ୟୁତ ଆଘାତ ଲାଗିଥିଲା । ଏହିଭଳି ଜଣେ ପରେ ଜଣେ ସଦସ୍ୟ ଟାଙ୍କି ଭିତରକୁ ପ୍ରବେଶ କରି ବିଦ୍ୟୁତ ଆଘାତର ଶିକାର ହୋଇଥିଲେ । ଫଳରେ ଗୋଟିର ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି ।

ମୃତକମାନେ ହେଲେ ଲକ୍ଷ୍ମଣ ଅହିରଓ୍ବାର(୬୫), ଶଙ୍କର ଅହିରଓ୍ବାର(୩୫), ମିଲନ ଅହିରଓ୍ବାର(୨୮), ନରେନ୍ଦ୍ର(୨୫), ରାମପ୍ରସାଦ(୩୨) ଏବଂ ବିଜୟ(୨୦) । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.