ମହାକୁମ୍ଭ ୨୦୨୫: ସକାଳ ୯ଟା ୩୦ ସୁଦ୍ଧା ବୁଡ଼ ପକାଇଲେ ୬୦ ଲକ୍ଷ ଶ୍ରଦ୍ଧାଳୁ
ପୌଷ ପୂର୍ଣ୍ଣିମାର ଶୁଭ ଅବସରରେ ପ୍ରୟାଗରାଜରେ ମହାକୁମ୍ଭର ଆରମ୍ଭ ହୋଇସାରିଛି। ଏଠାରେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଜମିଛି।
ପ୍ରୟାଗରାଜ: ପୌଷ ପୂର୍ଣ୍ଣିମାରେ ପ୍ରୟାଗରାଜରେ ଆରମ୍ଭ ହେଲା ମହାକୁମ୍ଭ ମେଳା। ଏହି ତ୍ରିବେଣୀ ସଂଗମ ତଟରେ ସ୍ନାନ ପର୍ବ ସମୟରେ ସକାଳ ୯ଟା ୩୦ ସୁଦ୍ଧା ୬୦ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇସାରିଲେଣି। ଏଠାରେ ଶ୍ରଦ୍ଧାଳୁଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅଧିକାରୀମାନେ ନିଜେ ଏହି ବ୍ୟବସ୍ଥା ଉପରେ ନଜର ରଖିଛନ୍ତି।
ମହାକୁମ୍ଭର ଅଭିନନ୍ଦନ ଜଣାଇଲେ ପିଏମ ମୋଦୀ: ମହାକୁମ୍ଭ ମେଳାର ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଛନ୍ତି, “କୁମ୍ଭ ମେଳା ଭାରତୀୟ ଆଧ୍ୟାତ୍ମିକ ପରମ୍ପରାର ବିରାଟ ଉତ୍ସବ। ପ୍ରୟାଗରାଜରେ ଅଂସଖ୍ୟ ଶ୍ରଦ୍ଧାଳୁଙ୍କ ସମାଗମକୁ ଦେଖି ଖୁସି ଲାଗୁଛି। ଏହା ଆଧ୍ୟାତ୍ମିକ, ଅନନ୍ତ ଐତିହ୍ୟ, ବିଶ୍ୱାସ ଓ ସଦ୍ଭାବକୁ ପାଳନ କରେ। କୁମ୍ଭ ମେଳା ଆପଣଙ୍କ ଜୀବନରେ ଆନନ୍ଦ ଓ ଉତ୍ସାହ ଆଣିଦେଉ।”
ଏହି ଖାସ କୁମ୍ଭମେଳାର ଯୋଗ ୧୪୪ ବର୍ଷପରେ ଆସିଛି। କୁମ୍ଭମେଳାର ପ୍ରଥମ ଅମୃତ ସ୍ନାନ ୧୪ ଜାନୁଆରୀରେ କରାଯିବ। ହିନ୍ଦୁ ପୌରାଣିକ ଶାସ୍ତ୍ର ଅନୁସାରେ, ମହାକୁମ୍ଭରେ ବୁଡ଼ ପକାଇଲେ ବ୍ୟକ୍ତିର ସମସ୍ତ ମନୋସ୍କାମନା ପୂର୍ଣ୍ଣ ହେବା ସହ ସମସ୍ତ ପାପ ନାଶ ହୋଇଥାଏ। ଏଥିସହ ବୁଡ଼ ପକାଇଲେ ଭକ୍ତକୁ ଅଧ୍ୟାତ୍ମିକ ଜ୍ଞାନ ପ୍ରାପ୍ତ ହୋଇଥାଏ।