fbpx

ରାଜଧାନୀର ସନ୍ଧ୍ୟାରେ ବଡ଼ ଅଘଟଣ: ୬୦ ବର୍ଷୀୟ ବୃଦ୍ଧାଙ୍କୁ ତଣ୍ଟି କାଟି ହତ୍ୟା, ବୋହୂ ସଂଜ୍ଞାହୀନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର । ଜଣେ ୬୦ ବର୍ଷୀୟ ବୃଦ୍ଧାଙ୍କୁ ତଣ୍ଟି କାଟ ହତ୍ୟା କରାଯାଇଛି । ବୃଦ୍ଧା ଜଣଙ୍କ ଗତ କିଛିଦିନ ତଳେ ମେଡିକାଲରୁ ଡିସଚାର୍ଜ ହୋଇ ଘରେ ଶଯ୍ୟାଶାୟୀ ଅବସ୍ଥାରେ ରହିଥିଲେ । ଗୋଟିଏ କୋଠରୀରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ତାଙ୍କର ବୋହୂଙ୍କୁ ମଧ୍ୟ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇଛି ।

ତେବେ ସନ୍ଧ୍ୟା ୭ଟା ସମୟରେ ଘଟିଥିବା ଏହି ଘଟଣାକୁ ନେଇ ଏବେ ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ହତ୍ୟାକାଣ୍ଡ ଘଟିଥିବା କୋଠରୀ ମଧ୍ୟରୁ ପୋଲିସ ତଣ୍ଟିକଟା ଛୁରୀ ଓ ରକ୍ତଭିଜା ଲୁଗାପଟାକୁ ଜବତ କରିଛି । ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ବୃଦ୍ଧାଙ୍କର ଘର ଗଞ୍ଜାମ ଜିଲ୍ଲାରେ ବୋଲି ଜଣାପଡ଼ିଛି । ସେ ଭରତପୁରପୁର ଥାନା ଅନ୍ତର୍ଗତ ଖଣ୍ଡଗିରିବାରି ବସ୍ତିରେ ନିଜ ଘରେ ରହୁଥିଲେ । ଅସୁସ୍ଥତା କାରଣରୁ ସେ ଭୁବନେଶ୍ୱରରେ ଆସି ଚିକିତ୍ସିତ ହେଉଥିଲେ ।

ସୂଚନା ମୁତାବକ, ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠାର ଜଣେ ବୃଦ୍ଧା ତାଙ୍କର ଦେହ ଖରାପ ଥିବାରୁ ସେ ଚିକିତ୍ସା ପାଇଁ ଖଣ୍ଡଗିରିବାରି ବସ୍ତିରେ ରହୁଥିବା ତାଙ୍କ ପୁଅଙ୍କ ପାଖକୁ ଆସି ଚିକିତ୍ସିତ ହେଉଥିଲେ । ତାଙ୍କର ଜଣେ ପୁଅ ଜଣେ ଡ୍ରାଇଭର ଭାବେ କାର୍ଯ୍ୟ କରିବା ସହ ବୋହୂ ତାଙ୍କର ଶାଶୂଙ୍କର ଦେଖାଶୁଣା କରୁଥିଲେ । ତେବେ ଖଟ ଉପରେ ବୃଦ୍ଧାଙ୍କ ମୃତଦେହ ପଡ଼ି ରହିଥିବା ବେଳେ ବୋହୂ ଅଚେତ ଅବସ୍ଥାରେ ଚଟାଣରେ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା । ତେବେ ଏହା ପୂର୍ବରୁ ଗତ ମାସ ୧ ତାରିଖରେ ମଧ୍ୟ ବୃଦ୍ଧାଙ୍କୁ ତାଙ୍କ ଗାଁରେ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା କୁହାଯାଉଛି । ତେଣୁ ଏହି ଘଟଣାକୁ ନେଇ ଏବେ ରହସ୍ୟ ବଢ଼ିବାରେ ଲାଗିଛି ।

Get real time updates directly on you device, subscribe now.