fbpx

୭ ବର୍ଷ ପରେ ପାକିସ୍ତାନ ଗସ୍ତରେ ଯିବ ଇଂଲଣ୍ଡ କ୍ରିକେଟ ଦଳ, ଆସନ୍ତାକାଲି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପାଇଁ କରାଚିରେ ପହଞ୍ଚିବ ୫ ଜଣିଆ ଟିମ୍

ଲଣ୍ଡନ: ଇଂଲଣ୍ଡ କ୍ରିକେଟ ଦଳ ଆସନ୍ତା ସେପ୍ଟେମ୍ବର କିମ୍ବା ଆକ୍ଟୋବର ମାସରେ ପାକିସ୍ତାନ ଗସ୍ତରେ ଯିବା କାର୍ଯ୍ୟକ୍ରମ ରହିଛି । ତେଣୁ ସେଠାକାର ସୁରକ୍ଷା ବ୍ୟବସ୍ଥା ତଦାରଖ କରିବା ପାଇଁ ଇଂଲଣ୍ଡ କ୍ରିକେଟ ବୋର୍ଡର ଏକ ପାଞ୍ଚ ଜଣିଆ ସୁରକ୍ଷା ଟିମ ଚଳିତ ଜୁଲାଇ ମାସ ୧୭ ତାରିଖ ଦିନ ପାକିସ୍ତାନ ଗସ୍ତରେ ଯିବେ ।

ସୂଚନା ଯୋଗ୍ୟ ଯେ ଇଂଲଣ୍ଡ ଦଳ ୨୦୧୫ରେ ଶେଷ ଥର ପାଇଁ ପାକିସ୍ତାନ ଗସ୍ତରେ ଯାଇଥିଲା । ତେବେ ବିଭିନ୍ନ କାରଣ ନେଇ ପରବର୍ତ୍ତୀ ସମୟରେ ଇଂଲଣ୍ଡଦଳ ପାକିସ୍ତାନ ବିପକ୍ଷ ସିରିଜ ଖେଳିବା ପାଇଁ ଯାଇ ନ ଥିଲା । ଗତ ବର୍ଷ ଅନୁଷ୍ଠିତ ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡ ଦଳ ପାକିସ୍ତାନ ଗସ୍ତରେ ଯିବାର ଥିଲା । ମାତ୍ର ସେହି ସମୟରେ ପାକିସ୍ତାନରେ ଯାଇଥିବା ନ୍ୟୁଜିଲାଣ୍ଡ ଦଳ କୌଣସି ସୂତ୍ରରୁ ସୁରକ୍ଷା ଆଶଙ୍କା ସୂଚନା ପାଇ ଫେରି ଆସିବା ପରେ ଇଂଲଣ୍ଡ ଦଳ ପରବର୍ତ୍ତୀ ସମୟରେ ପାକିସ୍ତାନ ଯିବା ପାଇଁ ଇଛା ପ୍ରକାଶ କରି ନ ଥିଲେ । ମାତ୍ର ଇଂଲଣ୍ଡ କ୍ରିକେଟ ବୋର୍ଡକୁ ଦେଶର ବହୁ ପୁରୁଖା କ୍ରିକେଟର ସମାଲୋଚନା କରିବା ପରେ ଚଳିତ ବର୍ଷ ଯିବା ସକାଶେ ପ୍ରସ୍ତାବ ଦେଇ ଥିଲା ।

ଇଂଲଣ୍ଡ ଦଳ ପାକିସ୍ତାନ ଗସ୍ତ କରି ସେଠାରେ ତିନି ଟେଷ୍ଟ ସହିତ ୪ ଟି- ୨୦ ମ୍ୟାଚ ଖେଳିବା କାର୍ଯ୍ୟକ୍ରମ ରହିଛି । ତେଣୁ ଇଂଲଣ୍ଡର ଏକ ସ୍ୱତନ୍ତ୍ର ଟିମ ପାକିସ୍ତାନ ଯାଇ ସେଠାରେ କରା ଯାଇଥିବା ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବେ । ଏହି ଟିମରେ ୨ କ୍ରିକେଟ ଅପରେସନ ଅଫିସିଆଲ,୨ ସିକ୍ୟୁରିଟ ବିଶେଷଜ୍ଞ ଓ ଇଂଲଣ୍ଡର ପ୍ରଫେସନାଲ କ୍ରିକେଟର୍ସ ଆସୋସିଏସନର ଜଣେ ସଦସ୍ୟଙ୍କୁ ମନୋନୀତ କରା ଯାଇଛି । ଏହି ଟିମ ପାକିସ୍ତାନର ଲାହୋର, କରାଚି, ମୁଲତାନ ଓ ରାୱଲପିଣ୍ଡି ଗସ୍ତ କରି ମ୍ୟାଚ ସ୍ଥଳୀ ଓ ଖେଳାଳି ରହିବାକୁ ଥିବା ହୋଟେଲର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବେ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.