fbpx

CHSE ଉପସଚିବଙ୍କ ପକ୍ଷରୁ ସୂଚନା: ଯୁକ୍ତଦୁଇ ପାଇଁ ଦକ୍ଷିଣାଞ୍ଚଳର ୮ଟି ଜିଲ୍ଲାରେ ଫର୍ମପୂରଣ କରିଛନ୍ତି ୭୯ ହଜାର ପରୀକ୍ଷାର୍ଥୀ

ବ୍ରହ୍ମପୁର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବହୁ ପ୍ରତୀକ୍ଷିତ ୨୦୨୪ ବର୍ଷର +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ବାର୍ଷିକ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି । ଏହା ମାର୍ଚ୍ଚ ୨୦ ତାରିଖ ପର୍ୟ୍ୟନ୍ତ ଚାଲିବ । ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ)ର ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ କାର୍ୟ୍ୟାଳୟ ଅଧୀନସ୍ଥ ଆଠଟି ଜିଲ୍ଲାରେ ୨୦୫ଟି ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି । ଚଳିତ ବର୍ଷ ୨୦୫ଟି କେନ୍ଦ୍ରରେ ସର୍ବମୋଟ ୭୯ ହଜାର ୫୫୮ ଜଣ ପରୀକ୍ଷାର୍ଥୀ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ପରୀକ୍ଷା ଦେବା ନିମନ୍ତେ ଫର୍ମ ପୂରଣ କରିଛନ୍ତି ।

ପରୀକ୍ଷା ପୂର୍ବରୁ ଫେବୃଆରୀ ୧୦-୧୩ ମଧ୍ୟରେ ଆଠଟି ଜିଲ୍ଲାର ମୋଟ ୪୫ଟି ପରୀକ୍ଷା ପରିଚାଳନା ହବରେ ପ୍ରଶ୍ନପତ୍ର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପହଞ୍ଚା ଯାଇଥିଲା । ପରୀକ୍ଷା ହବମାନଙ୍କରେ ୨୪ ଘଣ୍ଟା ସିସି କ୍ୟାମେରାର ବ୍ୟବସ୍ଥା କରାଯିବା ସହ ସଶସ୍ତ୍ର ପୋଲିସ୍ ବାହିନୀ ମୁତୟନ କରାଯାଇଛି । ପରୀକ୍ଷାକୁ ସଂପୂର୍ଣ୍ଣ ଶୃଙ୍ଖଳିତ, ସ୍ୱଚ୍ଛ ଓ କପିମୁକ୍ତ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ତ୍ରିସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଭିନ୍ନ ପରୀକ୍ଷା ପରିଚାଳନା ହବ୍ ପକ୍ଷରୁ ପ୍ରେରିତ ପର୍ୟ୍ୟବେକ୍ଷକଙ୍କୁ ନେଇ ପର୍ୟ୍ୟବେକ୍ଷକ ସ୍ତରୀୟ ସ୍କ୍ୱାଡ୍, ବ୍ରହ୍ମପୁର ଦକ୍ଷିଣାଞ୍ଚଳ କାର୍ୟ୍ୟାଳୟ ପକ୍ଷରୁ ଜୋନାଲ୍ ସ୍ତରୀୟ ସ୍କ୍ୱାଡ୍ ଓ ଭୁବନେଶ୍ୱର ମୁଖ୍ୟ କାର୍ୟ୍ୟାଳୟ ପକ୍ଷରୁ କେନ୍ଦ୍ରୀୟ ସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା କରାଯାଇଥିଲା । ଏଥିସହିତ ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀ ପ୍ରଶ୍ନପତ୍ର ଖୋଲାଯିବା ଓ ଉତ୍ତରପତ୍ର ପ୍ୟାକେଟ୍ ସିଲ୍ ହେବା ସମୟରେ ଉପସ୍ଥିତ ରହିବେ । ପରୀକ୍ଷାକୁ ସ୍ୱଚ୍ଛ, ଶୃଙ୍ଖଳିତ ଓ କପିମୁକ୍ତ କରିବା ନେଇ ଅଧିକାରୀ ତଦାରଖ କରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପସଚିବ ଡକ୍ଟର କୁଳମଣି ଓଝା ସୂଚନା ଦେଇଛନ୍ତି ।
ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାର ୭୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୩୩ ହଜାର ୪୧୬ ଜଣ ଛାତ୍ରଛାତ୍ରୀ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ପରୀକ୍ଷା ଦେବେ । କଳାରେ ୧୯ ହଜାର ୧୯୧ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ୧୭ ହଜାର ୫୩୧ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି । ଏହାସହ ଏକ୍ସ-ରେଗୁଲାର ପରୀକ୍ଷା ଦେବା ପାଇଁ କଳାରେ ୮୨୬ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ବିଜ୍ଞାନରେ ୧୧ ହଜାର ୬୪୭ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୧୧ ହଜାର ୩୭୮ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି ।

ଏକ୍ସ-ରେଗୁଲାର ପରୀକ୍ଷା ଦେବା ପାଇଁ ମୋଟ ୧୦୩୬ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ବାଣିଜ୍ୟରେ ୨ ହଜାର ୩୧୬ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୨ ହଜାର ୧୨୬ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି । ବାଣିଜ୍ୟରେ ଏକ୍ସ-ରେଗୁଲାର ପରୀକ୍ଷା ଦେବା ପାଇଁ ୧୩୭ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ଧନ୍ଦାମୂଳକ ଶିକ୍ଷାରେ ୩୨୨ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୨୫୯ ଜଣ ବିଦ୍ୟାର୍ଥୀ ଫର୍ମ ପୂରଣ କରିଛନ୍ତି । ଏକ୍ସ-ରେଗୁଲାର ପରୀକ୍ଷା ଦେବା ପାଇଁ ୩୨ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ୭୩ଟି ପରୀକ୍ଷା କେନ୍ଦ୍ର ଓ ୧୬ଟି ପରୀକ୍ଷା ପରିଚାଳନା ହବ୍ କରା ଯାଉଥିବା ଡ. ଓଝାଙ୍କ ସୂତ୍ରରୁ ଜଣାପଡ଼ିଛି ।

ଗଜପତି ଜିଲ୍ଲାରେ ୪ଟି ପରୀକ୍ଷା ପରିଚାଳନା ହବ୍ ସ୍ଥାପିତ ହୋଇଥିବା ବେଳେ ୧୬ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ ହଜାର ୬୧ ଜଣ ପରୀକ୍ଷାର୍ଥୀ ଚଳିତ ବର୍ଷ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ପରୀକ୍ଷା ଦେବେ । ଯୁକ୍ତଦୁଇ କଳାରେ ୩ ହଜାର ୫୧୮ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୩ ହଜାର ୧୨୪ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି । ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୨୮୭ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି ବିଜ୍ଞାନରେ ୧୩୦୨ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ୧୧୯୬ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି ଏବଂ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୨୩୩ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ବାଣିଜ୍ୟରେ ୯୬ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରଣ କରିଥିବା ବେଳେ ତନ୍ମଧ୍ୟରୁ ୮୩ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେବେ ଏବଂ ୨ ଜଣ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି । ଧନ୍ଦାମୂଳକ ଶିକ୍ଷାରେ ୧୦୪ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୯୨ ଜଣ ବିଦ୍ୟାର୍ଥୀ ଫର୍ମ ପୂରଣ କରିଛନ୍ତି ଏବଂ ୪୩ ଜଣ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା କୁହାଯାଇଛି ।

Get real time updates directly on you device, subscribe now.