ଭୁବନେଶ୍ୱର,୧୮ା୩: ସରକାରୀ ଚାକିରୀ ସର୍ବଦା ଜନସେବା ପାଇଁ ଉତ୍ସର୍ଗୀକୃତ। ତେଣୁ ନିଜକୁ ଜନସାଧାରଣଙ୍କର ସେବକ ଭାବେ ସାଧାରଣ ଲୋକଙ୍କ ଆଶା, ଆକାଂକ୍ଷାକୁ ପୂରଣ କରିବା ଏବଂ ସେମାନଙ୍କ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇ ରହିବା ଆବଶ୍ୟକ। ଆପଣମାନେ ଲୋକଙ୍କ ସେହି ଭରସାକୁ କୌଣସି ସମୟରେ କିମ୍ବା କୌଣସି ପରିସ୍ଥିତିରେ ଭାଙ୍ଗିବେ ନାହିଁ ବୋଲି ମୋର ଆଶା। ଆପଣଙ୍କ ଦ୍ଵାରା ନିଆଯାଇଥିବା ପ୍ରତ୍ୟେକ ନିଷ୍ପତ୍ତି ଏବଂ କାର୍ଯ୍ୟ ଜନମଙ୍ଗଳ ଉପରେ ଆଧାରିତ ହେବା ଉଚିତ୍।
ଆଜି ସ୍ଥାନୀୟ କୃଷି ଶିକ୍ଷା ସଦନ ଠାରେ ଆୟୋଜିତ ନିଯୁକ୍ତି ମେଳାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସମୁଦାୟ ୫ଟି ବିଭାଗର ୮୧୨ ଜଣ ନବନିଯୁକ୍ତମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ସହ ପରାମର୍ଶ ଦେଇ ସେମାନଙ୍କ କାର୍ଯ୍ୟଦକ୍ଷତା ଓ ସାମର୍ଥ୍ୟ ଉପରେ ଆସ୍ଥା ପ୍ରକାଶ କରିଛନ୍ତି ।
ସୂଚନା ଯୋଗ୍ୟ, ଆଜି ସ୍ୱାସ୍ଥ୍ୟ ବିଭାଗର ଆୟୁଷ ନିର୍ଦ୍ଦେଶାଳୟରେ ୪୪୨ ଜଣ ଆୟୁଷ ଆସିଷ୍ଟାଣ୍ଟ, କୃଷି ବିଭାଗରେ ୬୫ ଜଣ ମୃତ୍ତିକା ସଂପ୍ରସାରଣ କର୍ମଚାରୀ ଏବଂ ୩୩ ଜଣ ସହକାରୀ ଉଦ୍ୟାନ କୃଷି ଅଧିକାରୀ, ଶକ୍ତି ବିଭାଗରେ ୪୮ ଜଣ ମ୍ୟାନେଜମେଣ୍ଟ ଟ୍ରେନି, ଜଳ ସମ୍ପଦ ବିଭାଗରେ ୧୨ଜଣ କନିଷ୍ଠ ସହାୟକ ଓ ୧୪ ଜଣ ଅମିନ ଏବଂ ଇସ୍ପାତ ଓ ଖଣି ବିଭାଗରେ ୧୮୯ ଜଣ କନିଷ୍ଠ ଖଣି ଅଧିକାରୀ ଓ ୯ ଜଣ କନିଷ୍ଠ ସହାୟକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଗଲା।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ମାନଙ୍କୁ ଉଦବୋଧନ ଦେଇ କହିଥିଲେଯେ, ବିକାଶ ଧାରାକୁ କ୍ରିୟାଶୀଳ ଏବଂ ଫଳପ୍ରସୁ କରିବା ଦିଗରେ ଦକ୍ଷ ଓ ଉତ୍ତମ ମାନବ ସମ୍ବଳ ଅପରିହାର୍ଯ୍ୟ । ଦକ୍ଷ ମାନବ ସମ୍ବଳ ମାଧ୍ୟମରେ ସରକାରୀ ବ୍ୟବସ୍ଥା ସକ୍ରିୟ ଓ ସଜାଗ ରହେ ଏବଂ ଜନସାଧାରଣଙ୍କୁ ସଠିକ୍ ସମୟରେ ଆବଶ୍ୟକ ସେବା ଯୋଗାଇ ଦିଆଯାଏ । ଏହି ମୌଳିକ ସତ୍ୟକୁ ଉପଲବ୍ଧି କରି ଆମ ସରକାର ଦାୟିତ୍ଵ ନେବା ପରେ ପରେ ଦୀର୍ଘ ବର୍ଷ ଧରି ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀ ଗୁଡ଼ିକରେ ଉପଯୁକ୍ତ ମାନବ ସମ୍ବଳ ନିଯୁକ୍ତି ଆରମ୍ଭ କରିଛନ୍ତି । ରାଜ୍ୟର ବିକାଶ ଦିଗରେ ଆମ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏଣୁ ଆପଣମାନଙ୍କ ପରି ଯୁବ ଏବଂ ଦକ୍ଷ ଅଧିକାରୀ ଓ କର୍ମଚାରୀଙ୍କ କଠିନ ପରିଶ୍ରମ ଏବଂ ନିଷ୍ଠା ଦ୍ଵାରା ହିଁ ଲୋକମାନେ ଏହି ପଦକ୍ଷେପଗୁଡିକର ସୁଫଳ ପାଇବାକୁ ସକ୍ଷମ ହେବେ।
ଗତ ୯ ମାସ ମଧ୍ୟରେ ଆମେ ୭ ଥର ନିଯୁକ୍ତି ମେଳାର ଆୟୋଜନ କରି ବିଭିନ୍ନ ବିଭାଗରେ ୨୪ ହଜାରରୁ ଅଧିକ ନିଯୁକ୍ତି ପ୍ରଦାନ କରିଛୁ। ଆଜି ଅଷ୍ଟମ ପର୍ଯ୍ୟାୟରେ ଆୟୋଜିତ ହୋଇଥିବା ଏହି ନିଯୁକ୍ତି ମେଳାରେ ୫ ଟି ବିଭାଗର ୮୧୨ ଜଣ ଅଧିକାରୀ ଏବଂ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉଛି। ଏହା ଦ୍ୱାରା ବର୍ତ୍ତମାନ ସୁଦ୍ଧା ୮ ଟି ନିଯୁକ୍ତି ମେଳା ଜରିଆରେ ୨୫ ହଜାରରୁ ଅଧିକ ନିଯୁକ୍ତି ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି ନିଯୁକ୍ତି ମେଳା କାର୍ଯ୍ୟକ୍ରମରେ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଡକ୍ଟର ମୁକେଶ ମହାଲିଙ୍ଗ, ଇସ୍ପାତ ଓ ଖଣି ମନ୍ତ୍ରୀ, ଶ୍ରୀ ବିଭୁତି ଭୂଷଣ ଜେନା, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ପ୍ରମୁଖ ଉପସ୍ଥିତ ରହି ନବନିଯୁକ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଧୈର୍ଯ୍ୟ, ସହିଷ୍ଣୁତା, ଦକ୍ଷତାର ସହ କାର୍ଯ୍ୟ କରିବା ଏବଂ ନିଜ କଠିନ ପରଶ୍ରମକୁ ଅବ୍ୟାହତ ରଖିବା ପାଇଁ ପ୍ରୋତ୍ସାହିତ କରିଥିଲେ।
ଏହି କାର୍ଯ୍ୟକ୍ରମ ଅବସରରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଇସ୍ପାତ ଓ ଖଣି ବିଭାଗ, ସୁରେନ୍ଦ୍ର କୁମାର ସ୍ୱାଗତ ଭାଷଣ ଦେଇଥିବା ବେଳେ, କମିଶନର ତଥା ସଚିବ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଆଶ୍ଵଥି ଏସ ଧନ୍ୟବାଦ ଦେଇଥିଲେ।