fbpx

ରିପୋର୍ଟରୁ ବଡ଼ ଖୁଲାସା: ୮୬% ଭାରତୀୟ କର୍ମଚାରୀ କର୍ମକ୍ଷେତ୍ରରେ କରୁଛନ୍ତି ସଂଘର୍ଷ , ଯାହା ବିଶ୍ୱର ହାରାହାରି ଠାରୁ ଅଧିକ

ନୂଆଦିଲ୍ଲୀ: ଭାରତରେ କାର୍ଯ୍ୟ କରୁଥିବା ଲୋକମାନେ ନିଜ କାମରେ ବିଶେଷ ସନ୍ତୁଷ୍ଟ ନାହାନ୍ତି। ଅଧିକାଂଶ କର୍ମଚାରୀ ନିଜର ଜୀବନକୁ ସଂଘର୍ଷରତ ଓ ଦୁଃଖମୟ ବୋଲି କହିଛନ୍ତି। ଗ୍ୟାଲପ୍‌ର ବିଶ୍ବ କର୍ମକ୍ଷେତ୍ର ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। କାର୍ଯ୍ୟକ୍ଷେତ୍ରରେ ସନ୍ତୁଷ୍ଟିକୁ ନେଇ ଭାରତର ପ୍ରଦର୍ଶନ ନେପାଳଠାରୁ ବି ଖରାପ ରହିଛି।

ଗ୍ୟାଲପ୍‌ ରିପୋର୍ଟ ଅନୁସାରେ ଭାରତରେ ମାତ୍ର ୧୪ ପ୍ରତିଶତ କର୍ମଚାରୀ କାମରେ ସଫଳ ଥିବା କହିଛନ୍ତି। ଅବଶିଷ୍ଟ ୮୬ ପ୍ରତିଶତ କର୍ମଚାରୀ କର୍ମକ୍ଷେତ୍ର‌ରେ ସଂଘର୍ଷ କରୁଥିବା କିମ୍ବା ଦୁଃଖୀ ଥିବା କହିଛନ୍ତି। କେବଳ ଭାରତ ନୁହେଁ ସମଗ୍ର ଦକ୍ଷିଣ ଏସିଆରେ ‌ଏଭଳି ସ୍ଥିତି ରହିଛି। ବିଶ୍ବସ୍ତରରେ ହାରାହାରି ଭାବେ ୩୪ ପ୍ରତିଶତ କର୍ମଚାରୀ ନିଜକୁ ସଫଳ ବିବେଚନା କରୁଥିବା ବେଳେ ଦକ୍ଷିଣ ଏସିଆରେ ଏହି ହାର ଯଥେଷ୍ଟ କମ୍ ରହିଛି।

ଏହି ସର୍ବେକ୍ଷଣରେ ଭାଗ ନେଇଥିବା ୩୫ ପ୍ରତିଶତ ଭାରତୀୟ କହିଛନ୍ତି ଯେ ‌ପ୍ରତିଦିନ ସେମାନଙ୍କୁ ରାଗ ଲାଗୁଛି ଯାହା ଦକ୍ଷିଣ ଏସିଆରେ ସର୍ବାଧିକ। ୩୨ ପ୍ରତିଶତ କର୍ମଚାରୀ କହିଛନ୍ତି ଯେ ସେମାନେ ଚାପ‌ରେ ଅଛନ୍ତି। ଏହି ହାର କିନ୍ତୁ ସବୁଠୁ କମ୍ ରହିଛି। ଶ୍ରୀଲଙ୍କାର ୬୨ ପ୍ରତିଶତ ଏବଂ ଆଫଗାନିସ୍ତାନର ୫୮ ପ୍ରତିଶତ କର୍ମଚାରୀ ଚାପରେ ଥିବା କହିଛନ୍ତି। ଭାରତୀୟ କର୍ମଚାରୀମାନେ କାମକୁ ନେଇ ଏତେଟା ସନ୍ତୁଷ୍ଟ ନଥିଲେ ମଧ୍ୟ କାମ ସହିତ ଯୋଡ଼ିହୋଇରହିବାରେ ସେମାନେ ଅନ୍ୟ ଦେଶର କର୍ମଚାରୀଙ୍କଠାରୁ ଆଗରେ ରହିଛନ୍ତି। ଭାରତରେ କର୍ମଚାରୀ ସମ୍ପୃକ୍ତି ହାର ୩୨ ପ୍ରତିଶତ ରହିଛି ଯାହା ବିଶ୍ବର ହାରାହାରି ହାର ୨୩ ପ୍ରତିଶତଠାରୁ ଅଧିକ।

ଗ୍ୟାଲପ୍‌ ପକ୍ଷରୁ ବିଭିନ୍ନ ଦେଶର କର୍ମଚାରୀମାନଙ୍କ ଶାରିରୀକ ଓ ମାନସିକ ସ୍ଥିତିକୁ ଅନୁଶୀଳନ କରି ସେମାନଙ୍କୁ ସଫଳ, ସଂଘର୍ଷରତ ଓ ଦୁଃଖୀ ଭଳି ତିନିଟି ବର୍ଗରେ ଭାଗ କରାଯାଇଛି। ଯେଉଁମାନେ ନିଜର ବର୍ତ୍ତମାନ ଓ ଭବିଷ୍ୟତ ସମ୍ଭାବନାକୁ ନେଇ ସକାରାତ୍ମକ ମତ ଦେଇଥିଲେ ସେମାନଙ୍କୁ ସଫଳ ବର୍ଗରେ ରଖାଯାଇଛି। ଯେଉଁମାନେ ନକାରାତ୍ମକ ମତ ଦେଇଥିଲେ ଏବଂ ଦୈନିକ ଚାପ ଓ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା କହିଥିଲେ ସେମାନଙ୍କୁ ସଂଘର୍ଷରତ ବର୍ଗରେ ରଖାଯାଇଛି। ଶାରିରୀକ ଓ ମାନସିକ ଯନ୍ତ୍ରଣା ଭୋଗୁଥିବା କହିଥିବା କର୍ମଚାରୀମାନଙ୍କୁ ଦୁଃଖୀ ବର୍ଗରେ ରଖାଯାଇଛି।

Get real time updates directly on you device, subscribe now.