fbpx

କର୍ମଚାରୀଙ୍କ HRA ହ୍ରାସ କରିପାରେ କମ୍ପାନୀ, ଖୁବଶୀଘ୍ର ବେତନ ନିୟମ ସଂଶୋଧନ କରିବ ଶ୍ରମ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଆଗାମୀ ଦିନରେ କର୍ମଚାରୀମାନଙ୍କର ହାଉସ ରେଣ୍ଟ ଆଲାଉନ୍ସ (ଏଚଆରଏ) ହ୍ରାସ ପାଇପାରେ । ବିଶେଷ କରି ଯେଉଁ କର୍ମଚାରୀମାନେ ସ୍ଥାୟୀ ଭାବେ ୱାର୍କ ଫ୍ରମ୍ ହୋମ୍ କରୁଛନ୍ତି, ସେମାନେ ଏଥିରେ ପ୍ରଭାବିତ ହୋଇପାରନ୍ତି । କେନ୍ଦ୍ର ସରକାରଙ୍କ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ କର୍ମଚାରୀଙ୍କ ବେତନରେ ପରିବର୍ତ୍ତନ କରିବା ନେଇ ନିଯୁକ୍ତିଦାତାଙ୍କୁ ନିର୍ଦ୍ଦେଶ ଦିଆଯାଇପାରେ । ମନ୍ତ୍ରଣାଳୟ ପକ୍ଷରୁ ପୁନର୍ବାର ସର୍ଭିସ୍ ନିୟମ ସଂଶୋଧନ କରାଯାଇପାରେ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି ।

ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ, କର୍ମଚାରୀମାନେ ୱାର୍କ ଫ୍ରମ୍ ହୋମ୍ କରିବା କାରଣରୁ ହେଉଥିବା ଖର୍ଚ୍ଚକୁ ଦୃଷ୍ଟିରେ ରଖି ନିୟମରେ ସଂଶୋଧନ କରାଯାଇପାରେ । ଘରେ କାମ କରିବା ସମୟରେ କର୍ମଚାରୀଙ୍କୁ ବିଜୁଳି, ଇଣ୍ଟରନେଟର ଖର୍ଚ୍ଚ ବହନ କରିବାକୁ ପଡ଼ିଥାଏ । ତେଣୁ ସରକାର ସମସ୍ତ ଦିଗକୁ ବିଚାର କରି କିଛି ସ୍ୱତନ୍ତ୍ର ପଦକ୍ଷେପ ନେବାର ସମ୍ଭାବନା ରହିଥିବା ସେ କହିଛନ୍ତି ।

ଏନେଇ ଟିମଲିଜ କମ୍ପିଆନ୍ସ ଆଣ୍ଡ ପେରୋଲ ଆଉଟସୋର୍ସିଂ ବିଜିନେସର ଭାଇସ୍ ପ୍ରେସିଡେଣ୍ଟ ପ୍ରଶାନ୍ତ ସିଂହ କହିଛନ୍ତି ଯେ, ଯେଉଁ କର୍ମଚାରୀମାନେ ସ୍ଥାୟୀ ଭାବେ ୱାର୍କ ଫ୍ରମ ହୋମ କରିବାକୁ ନିଷ୍ପତ୍ତି ନେଇଛନ୍ତି ସେମାନଙ୍କର ସାଲାରି ଷ୍ଟ୍ରକଚରରେ ପରିବର୍ତ୍ତନ ହୋଇପାରେ । ଏହା ଦ୍ୱାରା ଏଚଆରଏ ଓ ପ୍ରୋଫେସନାଲ ଟ୍ୟାକ୍ସ ମଧ୍ୟ ବଦଳିବାର ସମ୍ଭାବନା ରହିଥିବା ସେ କହିଛନ୍ତି ।

Get real time updates directly on you device, subscribe now.