fbpx

ମହାକାଶକୁ ଯାତ୍ରା କଲା ଯୁବରାଜଙ୍କ ସ୍ମରଣୀୟ ବ୍ୟାଟ୍, ଦେଖନ୍ତୁ ଏହି ଐତିହାସିକ ମୁହୂର୍ତ୍ତର VIDEO

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଅରା ପୂର୍ବତନ ଧୁରନ୍ଧର ଅଲରାଉଣ୍ଡର ତଥା ସିକ୍ସର କିଙ୍ଗ ଭାବେ ପରିଚିତ ଯୁବରାଜ ସିଂହ ନିଜର ସ୍ମରଣୀୟ ବ୍ୟାଟକୁ ମହାକାଶକୁ ପଠାଇଛନ୍ତି । ଏନେଇ ସେ ଏକ ଭିଡିଓ ଶେୟାର କରି ସୂଚନା ଦେଇଛନ୍ତି । ଗତ ୨୦୦୩ ମସିହାରେ ଯୁବରାଜ ବାଂଲାଦେଶ ବିପକ୍ଷରେ ନିଜର ପ୍ରଥମ ଦିନିକିଆ ଶତକ ଅର୍ଜନ କରିଥିବାରୁ ଉକ୍ତ ମ୍ୟାଚରେ ବ୍ୟବହାର କରିଥିବା ବ୍ୟାଟଟି ତାଙ୍କ ପାଇଁ ନିଶ୍ଚିତ ଭାବେ ଖାସ୍ ଥିଲା । ଉକ୍ତ ମ୍ୟାଚରେ ସେ ୧୦୨ ରନ ସଂଗ୍ରହ କରିବା ସହ ମ୍ୟାନ୍ ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ । ଏନେଇ ସମସ୍ତ ଭିଡିଓ ୩ଡି ସଂସ୍କରଣରେ ଏନଏଫଟି କୋଲେକ୍ସିୟନ ୱେବସାଇଟରେ ଚଳିତ ମାସ ଶେଷ ସୁଦ୍ଧା ଶେୟାର କରାଯିବ ବୋଲି ଜଣାପଡ଼ିଛି ।

ଏନେଇ ଯୁବରାଜ କହିଛନ୍ତି ଯେ, ମୁଁ ସର୍ବଦା ଫ୍ୟାନ୍ସଙ୍କ ସହିତ ଯୋଡ଼ି ହୋଇ ରହିବାକୁ ଚାହେଁ । ଏହି କାର୍ଯ୍ୟକ୍ରମ ପାଇଁ ଏସିଆର ଏନଏଫଟି ବଜାର କୋଲେକ୍ସିୟନର ସହଯୋଗ ପାଇଁ ମୁଁ ବହୁତ କୃତଜ୍ଞ । ମୋର କ୍ରିକେଟ ଯାତ୍ରା ସମୟରେ ଯେଉଁମାନେ ମୋତେ ଅଜସ୍ର ଭଲ ପାଇବା ଓ ଉତ୍ସାହ ଯୋଗାଇଛନ୍ତି ସେମାନଙ୍କ ସହ ମୁଁ ମୋର ଜୀବନର ମୂଲ୍ୟବାନ ଜିନିଷକୁ ଶେୟାର କରିବାକୁ ଚାହୁଁଛି ବୋଲି କହିଥିଲେ ।

ଯୁବରାଜ ସିଂହ ୩୦୪ଟି ଦିନିକିନିଆରେ ୮୭୦୧ ରନ ସଂଗ୍ରହ କରିଥିବା ବେଳେ ସେଥିରେ ୧୪ଟି ଶତକ ଓ ୫୨ଟି ଅର୍ଦ୍ଧଶତକ ରହିଛି । ସେ ୪୦ଟି ଟେଷ୍ଟରେ ମୋଟ ୧୯୦୦ ରନ ସଂଗ୍ରହ କରିଛନ୍ତି । ସେଥିରେ ୩ଟି ଶତକ ଓ ୧୧ଟି ଅର୍ଦ୍ଧଶତକ ସାମିଲ ଅଛି । ସେହିପରି ୫୮ଟି ଟି-୨୦ରେ ସେ ୮ଟି ଅର୍ଦ୍ଧଶତକ ସହାୟତାରେ ୧୧୭୭ ରନ ସଂଗ୍ରହ କରିଛନ୍ତି । ଯୁବରାଜ ସିଂହଙ୍କ ବ୍ୟାଟ ପ୍ରଥମ ବ୍ୟାଟ ଭାବେ ମହାକାଶକୁ ଯାତ୍ରା କରି ଏକ ଐତିହାସିକ କୀର୍ତ୍ତୀ ସ୍ଥାପନ କରିଛି ।

Get real time updates directly on you device, subscribe now.