ଜାତୀୟ କିକ୍ ବକ୍ସିଂ ଟୁର୍ଣ୍ଣାମେଣ୍ଟ: ୨୯ ପଦକ ସହିତ ଫେରିଲା ଓଡ଼ିଶା ଦଳ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୁଣେରେ ଖେଳାଯାଉଥିବା ଜାତୀୟ କିକ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ଚମକ୍ରାର ପ୍ରଦର୍ଶନ କରିଛି ଓଡ଼ିଶା । କ୍ୟାଡେଟ୍ ଓ ଜୁନିୟର ନ୍ୟାସନାଲ କିକ ବକ୍ସିଂ ଚାମ୍ପିୟନଶିପ ୨୦୨୧ ସମୁଦାୟ ୨୯ ପଦକ ହାସଲ କରିଛନ୍ତି ଓଡ଼ିଶାର ପ୍ରତିଯୋଗୀ । ଓଡ଼ିଶାରୁ ୫୦ ବାଳକ ଓ ବାଳିକା ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ବେଳେ ଦଳ ୭ଟି ସ୍ୱର୍ଣ୍ଣ, ୧୦ଟି ରୌପ୍ୟ ଓ ୧୨ଟି ବ୍ରୋଞ୍ଜ ପଦକ ହାସଲ କରିଛି ।

ଆମେଚର କିକ ବକ୍ସିଂ ସଂଘ ସଭାପତି କାର୍ତ୍ତିକେୟ ଡାକୁଆଙ୍କ ନେତୃତ୍ୱରେ ଏହି ଟିମ୍ ଯାତ୍ରା କରିଥିବା ବେଳେ୪ ଜଣ ଅଫିସିଆଲ ଯୋଗ ଦେଇଥିଲେ । ବିଚିତ୍ର ନାରାୟଣ ଜେନା, ବିଚିତ୍ର ନନ୍ଦ ବେହେରା, ରଞ୍ଜନ ସୁତାର ଓ ହିମାଂଶୁ ଭୂଷଣ ଦାସ ରେଫରୀ ଓ ବିଚାରପତି ଭାବରେ ଅଂଶଗ୍ରହଣ କରିଥିଲେ । ମନୋଜ ପ୍ରଧାନୀ ଟିମର ମ୍ୟାନେଜର ରହିଥିବା ବେଳେ କିର୍ତ୍ତୀରାଣୀ ସାହୁ, ଅଶୋକ କୁଅଁର ଓ ମଞ୍ଜିତ ସିଂ ପ୍ରଶିକ୍ଷକ ଭାବରେ ରହିଥିଲେ । ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ପୂର୍ବତନ ବିଧାୟକ କିଶୋର ତରାଇ ଓ କିକ ବକ୍ସିଂ ସଂଘର ଉପ ସଭାପତି ହେମନ୍ତ ଦାସ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।