ଦୁଇ ଦିନିଆ ପୋଲିସ ରିମାଣ୍ଡରେ କାଳୀଚରଣ: ଗାନ୍ଧୀଙ୍କ ବିରୋଧରେ ଦେଇଥିଲା ବିବାଦୀୟ ବୟାନ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ନାମରେ ବିବାଦୀୟ ବୟାନ ଦେଇଥିବା ଆତ୍ମଘୋଷିତ ସନ୍ଥ କାଳୀଚରଣକୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି ପୋଲିସ୍ । ଖଜୁରାହୋରୁ ଛତିଶଗଡ ପୋଲିସ ଦ୍ୱାରା ଗିରଫ ହୋଇଥିଲା କାଳୀଚରଣ । କାଳୀଚରଣଙ୍କୁ ରାୟପୁର ପୋଲିସ୍ ଖଜୁରାହୋର ଏକ ହୋଟେଲରୁ ସକା ୪ଟା ୩୦ ମିନିଟ୍ ରେ ଗିରଫ କରିଛି । ସୂଚନାଯୋଗ୍ୟ ଯେ, କାଳୀଚରଣକୁ ଗିରଫ କରିବା ପାଇଁ ପୋଲିସ୍ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ କରିଥିଲା । ଏହି କ୍ରମରେ ଅନେକ ସ୍ଥାନରେ ଚଢ଼ାଉ ମଧ୍ୟ କରାଯାଇଛି । ଏହାରି ଭିତରେ ବିଶେଷ ସୂଚନା ଆଧାରରେ କାଳୀଚରଣ ମହାରାଜା ଖଜୁରାହୋର ଏକ ହୋଟେଲରେ ଥିବା ଖବର ମିଳିଥିଲା ଓ ସେ ନିଜର ମୋବାଇଲ ବନ୍ଦ କରି ରଖିଥିଲେ । ଏହାପରେ ରାୟପୁର ପୋଲିସ୍ ସୂଚନା ଆଧାରରେ ହୋଟେଲ ଉପରେ ଚଢ଼ାଉ କରି ତାଙ୍କୁ ସେଠାରୁ ଗିରଫ କରିଥିଲା ।

ସୂଚନାଯୋଗ୍ୟ ଯେ, ଛତିଶଗଡ଼ର ରାଜଧାନୀ ରାୟପୁର ଠାରେ ଏକ ସଂଗଠନ ଦ୍ୱାରା ଆୟୋଜିତ ହୋଇଥିବା ଧର୍ମ ସଂସଦରେ କାଳୀଚରଣ ମହାରାଜା ଗାନ୍ଧୀଙ୍କ ଉପରେ ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ ଓ ନାଥିରାଗ ଗଡ଼ସେଙ୍କୁ ଠିକ୍ ବୋଲି ଦର୍ଶାଇଥିଲେ । ଏହାପରେ ତାଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ତାଙ୍କ ନାମରେ ଅଭିଯୋଗ କରାଯାଇଥିଲା ।