fbpx

‘ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଅବହେଳା, ବରଦାସ୍ତ କରାଯାଇ ପାରିବ ନାହିଁ, କ୍ଷମା ମାଗନ୍ତୁ କଂଗ୍ରେସର ବଡ ନେତା’

ନୂଆଦିଲ୍ଲୀ : ପଞ୍ଜାବରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି ହୋଇଛି। ଏହି ମାମଲାରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି। ସେ ଟ୍ଵିଟ୍ କରି କହିଛନ୍ତି, ପଞ୍ଜାବରେ ଆଜି ଘଟିଥିବା କଂଗ୍ରେସ ପ୍ରାୟୋଜିତ ଘଟଣା ଏହି ପାର୍ଟିର ଚିନ୍ତାଧାରା ଏବଂ କାମକୁ ଦର୍ଶାଉଛି। ଜନତାଙ୍କ ଦ୍ଵାରା ବାରମ୍ବାର ପ୍ରତ୍ୟାଖାନ ହେବା ପରେ ଏହି ପାର୍ଟିର ହତାଶ ଏବେ ରାସ୍ତାରେ ଦେଖିବାକୁ ମିଳିଛି। କଂଗ୍ରେସର ଶୀର୍ଷ ନେତା ଆଜି ପଞ୍ଜାବରେ ଯାହା କଲେ ଏଥିପାଇଁ ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ୍।
ଗୃହ ମନ୍ତ୍ରଣାଳୟ ପଞ୍ଜାବ ସରକାରଙ୍କୁ ଆଜିର ଘଟଣା ଉପରେ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତରେ ସୁରକ୍ଷା ପ୍ରକ୍ରିୟାରେ ଏହି ଧରଣର ଅବହେଳାକୁ ସ୍ଵୀକାର କରାଯାଇ ପାରିବ ନାହିଁ। ଘଟଣାରେ ଉତ୍ତରଦାୟୀ କରାଯିବା ଦରକାର।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ପଞ୍ଜାବର ଫିରୋଜପୁର ଜିଲ୍ଲାରେ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ୍ କରିବା ପାଇଁ ଯାଉଥିଲେ। ତେବେ ରାସ୍ତାରେ ଲୋକଙ୍କ ଦ୍ଵାରା ବିରୋଧ ପ୍ରଦର୍ଶନ ଏବଂ ରାସ୍ତା ଜାମ ହେବା କାରଣରୁ ପ୍ରଧାନମନ୍ତ୍ରୀଙ୍କୁ ନିଜର କାର୍ଯ୍ୟକ୍ରମ ରଦ୍ଦ କରି ଫେରିବାକୁ ପଡିଥିଲା। ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ରାଜ୍ୟର ଚନ୍ନି ସରକାରଙ୍କୁ ଭର୍ତ୍ସନା କରିଛି। ପ୍ରଧାନମନ୍ତ୍ରୀ ଯେଉଁ ରୁଟ୍ରେ ଯାଉଥିଲେ, ତାର ସୂଚନା କିଏ ଲିକ୍ କଲା ବୋଲି ବିଜେପି ପ୍ରଶ୍ନ କରିଛି। ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ଖୋଦ୍ ପ୍ରଧାନମନ୍ତ୍ରୀ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁକ ନେଇ କ୍ଷୋଭ ପ୍ରକାଶ କରିଛନ୍ତି।

 

Get real time updates directly on you device, subscribe now.