ପଦୋନ୍ନତିରେ ସଂରକ୍ଷଣ: ଏସସି-ଏସଟିର ଧନୀ ବର୍ଗଙ୍କୁ ମିଳିବନି ପ୍ରୋମୋଶନ୍!

ନୂଆଦିଲ୍ଲୀ: ଏସସି-ଏସଟି ବର୍ଗରେ ପଦୋନ୍ନତି ପାଇଁ ସଂରକ୍ଷଣ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି, କିନ୍ତୁ ଏସସି-ଏସଟି ବର୍ଗରେ ପଦୋନ୍ନତି ପାଇଁ କ୍ରିମି ଲେୟର୍ ର ନିୟମ ଲାଗୁ କରିବା ମାମଲା ବିଚାରାଧୀନ ଅଛି। ଏହି ବର୍ଗରେ କ୍ରିମି ଲେୟର୍ ର କାର୍ୟ୍ୟକାରିତା ପାଇଁ ଜନସ୍ୱାର୍ଥ ମାମଲା ମଧ୍ୟ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି । ସଂରକ୍ଷଣ ବିଭାଗର ଲାଭ, ଧନୀ ବର୍ଗକୁ ଦିଆଯାଉ ନାହିଁ ବୋଲି ଦାବି କରାଯାଇଛି । ଆସନ୍ତା ମାସରେ ଏହି ଶୁଣାଣି ହେବାର ସମ୍ଭାବନା ରହିଛି। ଏନେଇ ୨୦୧୮ ରେ ଏହି ଆବେଦନ କରାଯାଇଥିଲା। ଏବେ ସୁଦ୍ଧା ଏହି ମାମଲାରେ ୮ ରାଉଣ୍ଡ୍ ଶୁଣାଣି ହୋଇସାରିଛି ।

କୋର୍ଟର କାର୍ଯ୍ୟସୂଚୀରେ ଏହି ମାମଲା ଆସନ୍ତା ଦୁଇ ସପ୍ତାହରେ ମୁଖ୍ୟ ନ୍ୟାୟାଧୀଶଙ୍କ ବେଞ୍ଚ୍ ରେ ଶୁଣାଣି ହେବ । ହେଲେ ଏସସି-ଏସଟି ବର୍ଗରେ କ୍ରିିମି ଲେୟର୍ ଙ୍କୁ କୌଣସି ସରକାରୀ ସୁବିଧା ଲାଗୁ କରାଯିବ ନାହିଁ । ତେବେ କେନ୍ଦ୍ର ସରକାର ଏଥିପାଇଁ ଚିନ୍ତାପ୍ରକାଶ କରିଛନ୍ତି । କାରଣ ପାଞ୍ଚ ଜଜ୍ ବିଶିଷ୍ଟ ପୀଠ କହିଥିଲେ ଯେ, କ୍ରିମି ଲେୟର୍ ର ନିୟମ ଏସସି-ଏସଟି ରେ ଲାଗୁ ହେବ ।

ସୂଚନାଯୋଗ୍ୟ, କ୍ରିମି ଲେୟର୍ ର ଧାରଣା ସର୍ବପ୍ରଥମେ ଐତିହାସିକ ୯ ଜଜ୍ ର ମଣ୍ଡଳ(ନଭେମ୍ବର ୧୬,୧୯୯୨)ର ନିଷ୍ପତ୍ତିରେ ସାମନାକୁ ଆସିଥିଲା । ଏହି ନିଷ୍ପତ୍ତିରେ କୋର୍ଟ କହିଥିଲେ ଯେ, ଓବିସିର ଆର୍ଥିକ ଓ ଶିକ୍ଷାଗତ ଯୋଗ୍ୟତା ଥିବା ଲୋକଙ୍କୁ କ୍ରିମି ଲେୟର୍ ବୋଲି କୁହାଯାଏ । ଏହି ବର୍ଗର ଲୋକମାନେ ସବୁ ଦିଗରୁ ସାମର୍ଥ୍ୟ ହୋଇଥିବାରୁ ସବୁ ଚାକିରୀ ହାସଲ କରିନେଉଛନ୍ତି । ଯାହାଫଳରେ ଅନ୍ୟ ଗରିବ ମାନଙ୍କୁ ଚାକିରୀ ମିଳିପାରୁନାହିଁ ।