fbpx

U-19 World Cup Final: ଅଷ୍ଟମ ଥର ଫାଇନାଲ୍ ଖେଳିବ ଭାରତ, ଏହି ୧୧ ଜଣ ଖେଳାଳିଙ୍କୁ ନେଇ ମଇଦାନକୁ ଓହ୍ଲାଇବ ଦଳ !

ନୂଆଦିଲ୍ଲୀ: ଭାରତୀୟ ଦଳ ୧୯ ବର୍ଷରୁ କମ୍ ବିଶ୍ଵ କପରେ ପଞ୍ଚମ ଟାଇଟଲ୍ ଜିତିବାକୁ ପ୍ରସ୍ତୁତ। ଶନିବାର ସନ୍ଧ୍ୟାରେ ଫାଇନାଲ୍ ମୁକାବିଲା ସାର ଭିଭିଆନ ରିଚାର୍ଡସ୍ ଷ୍ଟାଡିୟମରେ ଖେଳାଯିବ। ଭାରତ ସେମି ଫାଇନାଲରେ ଅଷ୍ଟ୍ରେଲିଆକୁ ୯୬ ରନର ମାତ୍ ଦେଇ ରେକର୍ଡ ଅଷ୍ଟମ ଥର ଫାଇନାଲରେ ପ୍ରବେଶ କରିଛି। ଦଳ ପଞ୍ଚମ ଟାଇଟଲ୍ ଜିତିବା ପାଇଁ ମାତ୍ର ଆଉ ଗୋଟିଏ ପାଦ ଦୂରରେ ରହିଛି। ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ଏ ପର୍ଯ୍ୟନ୍ତ ନିଜର ସମସ୍ତ ୫ ମ୍ୟାଚ୍ ଜିତିଛନ୍ତି। ତେଣୁ ଉଭୟ ଦଳ ମଧ୍ୟରେ ଫାଇନାଲ୍ ମୁକାବିଲା ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ତେଣୁ ଦଳ ନିଜର ମଜବୁତ ଚୂଡାନ୍ତ ଏକାଦଶ ସହ ପଡିଆକୁ ଓହ୍ଲାଇବାକୁ ଚାହିଁବେ।

ଭାରତୀୟ ଦଳ ପାଇଁ ସବୁଠୁ ଭଲ ଖବର ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚିବାରେ ଦଳର ସମସ୍ତ ଖେଳାଳି ନିଜ ନିଜର ଯୋଗଦାନ ଦେଇଛନ୍ତି। ତେଣୁ ଭାରତୀୟ ଦଳ ନିଜର ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ କରିବାର ସମ୍ଭାବନା ଖୁବ୍ କମ ରହିଛି। ଏହା ପୂର୍ବରୁ ଦଳ ୨୦୦୦, ୨୦୦୮, ୨୦୧୨ ଏବଂ ୨୦୧୮ରେ ବିଶ୍ଵ କପ୍ ଜିତିଛି। ଅପରପକ୍ଷେ ୨୦୦୬, ୨୦୧୬ ଏବଂ ୨୦୨୦ରେ ଭାରତୀୟ ଦଳକୁ ଫାଇନାଲରେ ପରାଜୟର ମୁହଁ ଦେଖିବାକୁ ପଡିଥିଲା। ଭାରତ ରେକର୍ଡ ଅଷ୍ଟମ ଥର ଫାଇନାଲରେ ପ୍ରବେଶ କରିଛି। ୧୯ ବର୍ଷରୁ କମ ବିଶ୍ଵ କପରେ କୌଣସି ବି ଦଳ ଏତେ ଥର ଫାଇନାଲରେ ପହଞ୍ଚି ପାରି ନାହାନ୍ତି। ତେଣୁ ଭାରତ ପଞ୍ଚମ ଟାଇଟଲ୍ ଜିତିବା ପାଇଁ ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ କରିନପାରେ।

ସେମି ଫାଇନାଲରେ ଭାରତୀୟ ଦଳ ଆରମ୍ଭରୁ ଦୁଇଟି ଓ୍ଵିକେଟ୍ ହରାଇଥିଲା। ମାତ୍ର ପରେ ଶେଖ ରଶିଦ ଏବଂ ଅଧିନାୟକ ୟଶ ଧୁଲ ତୃତୀୟ ଓ୍ଵିକେଟ୍ ପାଇଁ ୨୦୪ ରନ ଯୋଡି ଦଳକୁ ମଜବୁତ ସ୍କୋର ପର‌୍ୟ୍ୟନ୍ତ ପହଞ୍ଚାଇଥିଲେ। ଧୁଲ ୩ଟି ମ୍ୟାଚରେ ୧୦୬ ହାରରେ ୨୧୨ ରନ କରିଛନ୍ତି। ଏଥିରେ ଗୋଟିଏ ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ସାମିଲ୍ ଅଛି। ବ୍ୟାଟସମ୍ୟାନ ଅଙ୍ଗକୃଷ୍ଣ ରଘୁବଂଶୀ ଟୁର୍ଣ୍ଣାମେଣ୍ଟରେ ଭାରତ ପକ୍ଷରୁ ସର୍ବାଧିକ ରନହାସଲକାରୀ ବ୍ୟାଟସମ୍ୟାନ। ସେ ୫ଟି ମ୍ୟାଚରେ ୫୫.୬୦ ହାରରେ ୨୭୮ ରନକ କରିଛନ୍ତି। ରାଜ ବାଭା ମଧ୍ୟକ୍ରମରେ ଦଳର ଇନିଂସ ସମ୍ଭାଳୁଛନ୍ତି। ସେ ଟୁର୍ଣ୍ଣାମେଣ୍ଟରେ ଦ୍ଵିତୀୟ ସର୍ବାଧିକ ରନହାସଲକାରୀ ବ୍ୟାଟସମ୍ୟାନ। ବାଭା ୫ଟି ମ୍ୟାଚରେ ୪ଟି ଇନିଂସରୁ ୭୨.୩୩ ହାରରେ ୨୧୭ ରନ କରିଛନ୍ତି।

ବୋଲିଂରେ ବାମହାତୀ ସ୍ପିନର ଭିକ୍କି ଓଷ୍ଟଓ୍ଵାଲ ଚଳିତ ବିଶ୍ଵ କପରେ ଭାରତର ସବୁଠୁ ସଫଳ ବୋଲର। ସେ ୫ଟି ମ୍ୟାଚରେ ୧୦.୭୫ ହାରରେ ୧୨ଟି ଓ୍ଵିକେଟ୍ ନେଇଛନ୍ତି। ଅନ୍ୟପଟେ କରୋନାକୁ ମାତ୍ ଦେଇ ମଇଦାନକୁ ଫେରିଥିବା ନିଶାନ୍ତ ସିନ୍ଧୁ ଏ ପର‌୍ୟ୍ୟନ୍ତ ୪ଟି ମ୍ୟାଚରେ ୬ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ସେ ଟୁର୍ଣ୍ଣାମେଣ୍ଟରେ ଭ ଭାରତ ପାଇଁ ଦ୍ଵିତୀୟ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର। ଏଥିସହ ନିମ୍ନକ୍ରମରେ ବ୍ୟାଟିଂ କରିବାରେ ମଧ୍ୟ ସେ ସକ୍ଷମ।

ଭାରତୀୟ ଦଳର ସମ୍ଭାବିତ ଚୂଡାନ୍ତ ଏକାଦଶ

ଅଙ୍ଗକୃଷ୍ଣ ରଘୁବଂଶୀ, ହରନୁର ସିଂହ, ଶେଖ ରଶିଦ, ୟଶ ଧୁଲ(ଅଧିନାୟକ), ନିଶାନ୍ତ ସିନ୍ଧୁ, ରାଜ ବାଭା, କୌଶଲ ତାମ୍ବେ, ଦିନେଶ ବାନା(ଓ୍ଵିକେଟ୍ କିପର), ରାଜବର୍ଦ୍ଧନ ହଙ୍ଗରଗେକର, ଭିକ୍କି ଓଷ୍ଟଓ୍ଵାଲ, ରବି କୁମାର।

Get real time updates directly on you device, subscribe now.